ନୂଆଦିଲ୍ଲୀ,୧୫/୦୪(ଡ଼ି.ଏଚ/ବ୍ୟୁରୋ) : କରୋନାର ବଢ଼ୁଥିବା ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରେସ କନଫରେନ୍ସ ଜରିଆରେ ନୂଆ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି ।
କରୋନା ଚେନ୍ ଭାଙ୍ଗିବା ପାଇଁ ସପ୍ତାହାନ୍ତ କର୍ଫ୍ୟୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟ ବନ୍ଦ ରହିବ । ବିବାହ ଓ ଶୁଭକାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପାସ୍ ଜରିଆରେ ଅନୁମତି ମିଳିବ । ଅନ୍ୟପଟେ ସପ୍ତାହାନ୍ତ କର୍ଫ୍ୟୁ ସମୟରେ ମଲ୍, ଜିମ୍, ସ୍ପା ଆଦି ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି । ସେହିପରି ୩୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଚାଲିବାକୁ ଅନୁମତି ମିଳିଛି । ରେଷ୍ଟୁରାଣ୍ଟରେ ବସି ଖାଇବାକୁ ମନା କରାଯାଇଥିବା ବେଳେ କେବଳ ହୋମ୍ ଡେଲିଭରି ହୋଇପାରିବ ଖାଦ୍ୟ । । ଦିଲ୍ଲୀରେ ଏବେ ବେଡ ସଂଖ୍ୟା କମ୍ ନାହିଁ । କିଛି ହସ୍ପିଟାଲରେ ବେଡ୍ ସଂଖ୍ୟା କମ ଥିବାବେଳେ, ସେହି ହସ୍ପିଟାଲରେ ହଁ ଆଡମିଟ୍ ହେଉଥିବାରୁ, ଅସୁବିଧା ହେଉଛି ବୋଲି ପ୍ରେସ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ରୋଗରେ ପଡ଼ିଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ଆମର ପ୍ରାଥମିକତା । ଏବେ ବି ପାଞ୍ଚ ହଜାରରୁ ଅଧିକ ବେଡ ଖାଲି ରହିଛି । ଅଗାମୀ ସମୟରେ ଏହି ସଂଖ୍ୟାକୁ ବଢ଼ାଇବାକୁ ଯୋଜନା କରାଯାଉଛି ବୋଲି କେଜ୍ରିୱାଲ କହିଛନ୍ତି ।




















