ନୂଆଦିଲ୍ଲୀ,୧୫/୦୪(ଡ଼ି.ଏଚ/ବ୍ୟୁରୋ) : କଶ୍ମୀରର ବିବାଦୀୟ ହିମାଳୟ ଅଞ୍ଚଳରେ ଲାଗି ରହିଥିବା ସାମରିକ ଉତ୍ତେଜନା ହ୍ରାସ ନିମନ୍ତେ ନୂତନ ଉଦ୍ୟମ ଭାବେ ଗତ ଜାନୁଆରି ମାସରେ ଦୁବାଇରେ ଭାରତ ଓ ପାକିସ୍ତାନର ଶୀର୍ଷସ୍ତରୀୟ ଗୁଇନ୍ଦା ଅଧିକାରୀମାନେ ଗୁପ୍ତରେ ଆଲୋଚନା କରିଛନ୍ତି ବୋଲି ଏ ବିଷୟରେ ଅବଗତ ଥିବା ବ୍ୟକ୍ତିମାନେ ଏକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥାନକୁ କହିଛନ୍ତି । ୨୦୧୯ରେ ପାକିସ୍ତାନୀ ଆତଙ୍କବାଦୀମାନେ କଶ୍ମୀରର ପୁଲ୍ଓ୍ଵାମାରେ ଭାରତୀୟ ସାମରିକ ଯାନ ଉପରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବାରୁ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ଲାଗି ଭାରତ ପାକିସ୍ତାନକୁ ଲଢୁଆ ବିମାନ ପଠାଇଥିଲା । ସେହି ବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିବା ପରେ ପାକିସ୍ତାନ ପ୍ରତିହିଂସା ପରାୟଣ ହୋଇଥିଲା ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କରେ ଅବନତି ଘଟିବା ସହ ବାଣିଜ୍ୟ ମଧ୍ୟ ବାତିଲ ହୋଇଥିଲା। ଉପରୋକ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱାଭାବିକ କରିବା ଲାଗି ଗତ କେତେ ମାସ ହେବ ଦୁଇ ଦେଶର ସରକାର ଗୋପନ କୂଟନୈତିକ ମାର୍ଗରେ ଚାଲିଥିବା କଥା କୁହାଯାଉଛି । ସଂଯୁକ୍ତ ଆରବ ଏମିରେଟ୍ସ୍ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ଗୁପ୍ତ ଆଲୋଚନା ପାଇଁ ଭାରତର ‘ରିସର୍ଚ ଆଣ୍ଡ୍ ଆନାଲିସିସ୍ ଓ୍ଵିଙ୍ଗ୍’, ‘ଏକ୍ସଟର୍ନାଲ୍ ସ୍ପାଇ ଏଜେନ୍ସି’ ଏବଂ ପାକିସ୍ତାନର ଇଣ୍ଟର୍-ସର୍ଭିସ୍ ଇଣ୍ଟେଲିଜେନ୍ସ୍’ର ଅଧିକାରୀମାନେ ଦୁବାଇ ଯାଇଥିଲେ । ଏ ବିଷୟରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କିଂବା ‘ଆଇଏସ୍ଆଇ’କୁ ନିୟନ୍ତ୍ରଣ କରୁଥିବା ପାକିସ୍ତାନ ସେନା ମଧ୍ୟ କୌଣସି ବିବୃତି ଦେଇ ନାହାନ୍ତି ।
ବିଦେଶରେ ଏକାଧିକ ମାସ ଧରି ଭାରତ ଓ ପାକିସ୍ତାନ ଗୁଇନ୍ଦା ଅଧିକାରୀମାନେ ଆଲୋଚନା କରିଥିବା କଥା ପାକିସ୍ତାନର ଶୀର୍ଷ ସ୍ତରୀୟ ପ୍ରତିରକ୍ଷା ଅନୁଶୀଳନକାରୀ ଆୟେଶା ସିଦ୍ଦିକା କହିଛନ୍ତି। ଥାଇଲାଣ୍ଡ୍, ଦୁବାଇ ଓ ଲଣ୍ଡନ୍ରେ ଏହି ସବୁ ଗୁପ୍ତ ବୈଠକ ବସିଥିବା କଥା ମଧ୍ୟ ସେ କହିଛନ୍ତି ।




















