ଆଜି ଶେଷ ହେଉଛି ‘ଟିକା ଉତ୍ସବ’

455
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ADVERTISEMENT

ନୂଆଦିଲ୍ଲୀ,୧୪/୦୪(ଡ଼ି.ଏଚ/ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବରେ ଆରମ୍ଭ ହୋଇଥିବା ଚାରିଦିନିଆ ‘ଟିକା ଉତ୍ସବ’ର ଆଜି ଅବସାନ ହେଉଛି। କରୋନାଭାଇରସ୍‌ର ପୁନଃ ଦ୍ରୁତ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଏପ୍ରିଲ ୧୧ ତାରିଖରୁ ଦେଶବ୍ୟାପୀ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, ଏହି ଅଭିଯାନର ତୃତୀୟ ଦିବସ ବା ମଙ୍ଗଳବାର ଦିନ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ଦଆଯାଇଛି। ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧୧,୧୦,୩୩,୯୨୫ଜଣଙ୍କୁ କୋଭିଡ୍‌-୧୯ ନିରୋଧି ଟିକା ଦିଆଗଲାଣି। ସେହିଭଳି, ସୋମବାର ଦିନ ମଧ୍ୟ ୩୭ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଟିକା ଦିଆଯାଇଥିଲା। ‘ଟିକା ଉତ୍ସବ’ର ପ୍ରଥମ ଦିବସରେ ଦିଆଯାଇଥିଲା ପ୍ରାୟ ୩୦ ଲକ୍ଷ ଟିକା। ଏହାଛଡ଼ା, ଦେଶରେ ଆଉ ୧୮,୮୦୦ ‘କୋଭିଡ୍‌ ଟିକାକରଣ କେନ୍ଦ୍ର’ ଖୋଲିଛି। ‘ଟିକା ଉତ୍ସବ’କୁ ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍‌ ବିପକ୍ଷରେ ଦ୍ୱିତୀୟ ମହାସମରର ଆରମ୍ଭ ବୋଲି ଅଭିହିତ କରିଛନ୍ତି। ଏହି ଅଭିଯାନରେ ବୟସ ବର୍ଗ ଆଧାରରେ ସର୍ବାଧିକସଂଖ୍ୟକ ଯୋଗ୍ୟ ବିବେଚିତ ହିତାଧିକାରୀ ଟିକା ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।ସୂଚନାଯୋଗ୍ୟ, ସମ୍ପ୍ରତି ଦେଶର ବିଭିନ୍ନ ‘କୋଭିଡ୍‌ ଟିକାକରଣ କେନ୍ଦ୍ର’ରେ ‘କୋଭାକ୍ସିନ୍‌’ ଏବଂ ‘କୋଭିସିଲ୍‌ଡ୍‌’ ଟିକା ଦିଆଯାଉଛି। ଏହା ବ୍ୟତିରେକେ, ରୁଷ୍‌ ପ୍ରସ୍ତୁତ ‘ସ୍ପୁଟ୍‌ନିକ୍‌-୫’ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ‘ଡ୍ରଗ୍‌ ରେଗୁଲେଟର୍‌’ ସମ୍ମତି ମଧ୍ୟ ପ୍ରଦାନ କରିଛନ୍ତି।

Advertisement