ଚାରିଦିନିଆ ଟିକା ଉତ୍ସବ ଆରମ୍ଭ ଏପ୍ରିଲ ୧୧ଠାରୁ ଏପ୍ରିଲ ୧୪

160
Uttar Pradesh, April 10 (ANI): A beneficiary gets a COVID-19 vaccine at Moti Lal Nehru Medical College, amid a countrywide spike in coronavirus cases, in Prayagraj on Saturday. (ANI Photo)
ADVERTISEMENT

ନୂଆଦିଲ୍ଲୀ,୧୨/୦୪(ଡ଼ି.ଏଚ/ବ୍ୟୁରୋ) : ସମ୍ପ୍ରତି ଦେଶରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟାରେ ଦେଖା ଦେଉଥିବା କ୍ରମାଗତ ବୃଦ୍ଧିକୁ ରୋକିବା ପାଇଁ ଆଜି ସରକାର ଟିକା ଉତ୍ସବ ନାମରେ ଏକ ଚାରିଦିନିଆ ସ୍ବତନ୍ତ୍ର ଟିକାକରଣ ଯୋଜନା ଆରମ୍ଭ କରିଛନ୍ତି। ଏପ୍ରିଲ ୧୧ରେ ପଡୁଥିବା ଜ୍ୟୋତିବା ଫୁଲେ ଜୟନ୍ତୀଠାରୁ ଏହା ଆରମ୍ଭ ହୋଇ ଏପ୍ରିଲ ୧୪ ବାବା ସାହେବ ଆମ୍ବେଦକର ଜୟନ୍ତୀ ଯାଏ ଏହା ଚାଲୁ ରହିବ। ଆମେରିକା ପଛକୁ ଦ୍ବିତୀୟ ଦେଶ ଭାବେ ଦୈନିକ ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଭାରତରେ ଯଥା ସମ୍ଭବ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଟିକାକରଣରେ ସାମିଲ କରିବା ସହ ଟିକା ଯେପରି ନଷ୍ଟ ନହୁଏ ସେଥିପ୍ରତି ସମସ୍ତେ ସଜାଗ ହେବା ଏହି ଉତ୍ସବର ଲକ୍ଷ୍ୟ ବୋଲି କୁହାଯାଇଛି । ତେବେ ମହାମାରୀ କରୋନାଭୂତାଣୁ ବିରୋଧରେ ଏହା ଦ୍ବିତୀୟ ଲଢ଼େଇ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ୪-ସୂତ୍ରୀ ନିବେଦନ ରଖିଛନ୍ତି। ପ୍ରଥମତଃ ଜଣେ ଜଣଙ୍କର ଟିକାକରଣ କରାଇବା ଅର୍ଥାତ୍‌ ଯେଉଁ ଅଳ୍ପଶିକ୍ଷିତ ବା ବୟସ୍କମାନେ ସଚେତନତା ଅଭାବରୁ ଟିକାକରଣ କେନ୍ଦ୍ରକୁ ଯାଇପାରୁନାହାନ୍ତି, ସେମାନଙ୍କୁ ସେ ଦିଗରେ ସାହାଯ୍ୟ କରିବା। ଦ୍ବିତୀୟରେ ଜଣେ ଜଣଙ୍କର ଚିକିତ୍ସା କରାଇବା ଯେଉଁମାନେ ସମ୍ବଳ ଅଭାବରୁ କୋଭିଡ୍‌ ଚିକିତ୍ସା କରାଇ ପାରୁନାହାନ୍ତି, ସେମାନଙ୍କୁ ସହଯୋଗ କରିବା। ତୃତୀୟରେ ଜଣେ ଜଣକୁ ବଞ୍ଚାଇବା ଅର୍ଥାତ୍‌ ନିଜେ ମାସ୍କ ପିନ୍ଧି ଅନ୍ୟମାନଙ୍କୁ ପିନ୍ଧିବା ପାଇଁ ପ୍ରବର୍ତ୍ତାଇବା ଏବଂ ଚତୁର୍ଥରେ କ୍ଷୁଦ୍ର ସଂକ୍ରମଣରହିତ ଇଲାକା ସୃଷ୍ଟି କରିବା ଅର୍ଥାତ୍‌ କୌଣସି ଅଞ୍ଚଳରେ କେହି ସଂକ୍ରମିତ ଥିବା ଜାଣିପାରିଲେ ସଂକ୍ରମଣକୁ ସେହି ସଂକୁଚିତ ଇଲାକାରେ ସୀମିତ ରଖିବା ପାଇଁ ଚେଷ୍ଟା କରିବା। ଭାରତ ପରି ସାନ୍ଦ୍ର ଜନବହୁଳ ଦେଶରେ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଏପରି କ୍ଷୁଦ୍ର ସଂକ୍ରମଣ ରହିତ ଇଲାକା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Advertisement