ନୂଆଦିଲ୍ଳୀ ,୧୦/୦୪(ଡ଼ି.ଏଚ/ବ୍ୟୁରୋ): ଇଣ୍ଡୋନେସିଆର ଜାଭା ଦ୍ବୀପ ନିକଟସ୍ଥ ଭାରତ ମହାସାଗରରେ ଆଜି ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ପୂର୍ବ ଜାଭା ଓ ବାଲି ଦ୍ବୀପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛି । ଇଣ୍ଡୋନେସିଆର ଭୂବିଜ୍ଞାନ ସଂସ୍ଥା ବିଏମକେଜିର ସୂଚନା ଅନୁସାରେ ଏହି ଭୂମିକମ୍ପ ପୂର୍ବ ଜାଭାର ଦକ୍ଷିଣ ଉପକୂଳଠାରୁ ୯୧ କିଲୋମିଟର ଦୂର ଭାରତ ମହାସାଗର ମଧ୍ୟରେ ଏହି ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ଥିଲା ଓ ୯୬ କିଲୋମିଟର ଗଭୀରତାରେ ହୋଇଥିଲା । ତେବେ ଏହି ଭୂମିକମ୍ପ ପରେ ଅଳ୍ପ ତୀବ୍ରତାର ଆଉ କେତୋଟି ଭୂମିକମ୍ପ ହୋଇଥିଲେ ମଧ୍ୟ ସୁନାମୀର ଆଶଙ୍କା ନାହିଁ ବୋଲି ବିଏମକେଜି କହିଛି । ଏହି ଭୂମିକମ୍ପରେ ପୂର୍ବ ଜାଭା ଓ ବାଲି ଦ୍ବୀପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକମାନଙ୍କର ଘର, ସରକାରୀ କୋଠା, ଏକ ସଂସଦୀୟ ଭବନ, କେତେକ ହସପିଟାଲର କୋଠା ଭାଙ୍ଗିଯାଇଛି । ତେବେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଏହି ଭୂମିକମ୍ପ ଯୋଗୁଁ ଲୁମାଜାଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛି । ଘରର କଂକ୍ରିଟ ଖସିପଡ଼ିବାରୁ ସେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଏହି ଭୂମିକମ୍ପ ଯୋଗୁଁ ଆଉ କେତେକ ବ୍ୟକ୍ତି ଆହତ ହୋଇଛନ୍ତି ।




















