ଏପ୍ରିଲ୍‌ ୯ରେ ହୋଇପାରେ ଭାରତ ଓ ଚୀନ୍‌ ମଧ୍ୟରେ ୧୧ଶ ପର୍ଯ୍ୟାୟ ସାମରିକ ଆଲୋଚନା

220
ADVERTISEMENT

ନୂଆଦିଲ୍ଲୀ,୦୭/୦୪(ଡ଼ି.ଏଚ/ବ୍ୟୁରୋ): ଏପ୍ରିଲ୍‌ ୯ ତାରିଖ ଦିନ ଭାରତ ଓ ଚୀନ୍‌ ମଧ୍ୟରେ ଲଦାଖ ବିବାଦ ସମ୍ବନ୍ଧୀୟ ୧୧ଶ ପର୍ଯ୍ୟାୟ ସାମରିକ ଆଲୋଚନା ହୋଇପାରେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ଦେପ୍‌ସାଙ୍ଗ୍‌ ସମତଳ ଅଞ୍ଚଳ, ଗୋଗ୍ରା ଏବଂ ହଟ୍‌ସ୍ପ୍ରିଙ୍ଗ୍‌ସ୍‌ ଅଞ୍ଚଳରେ ଥିବା ବିବାଦୀୟ ସ୍ଥାନରୁ ସୈନ୍ୟ ଅପସାରଣ ପ୍ରସଙ୍ଗରେ ଉଭୟ ପକ୍ଷ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ପାରସ୍ପରିକ ନିରାପତ୍ତାକୁ ଦୃଷ୍ଟିରେ ରଖି ଏକ ସମୟରେ ଉଭୟ ପକ୍ଷ ଉଭୟ ପାର୍ଶ୍ୱରୁ ସୈନ୍ୟ ଅପସାରଣ ବ୍ୟବସ୍ଥା କରାଗଲେ ହିଁ ଭାରତ ଏଥିପ୍ରତି ସମ୍ମତ ହେବ ବୋଲି ଭାରତ ପୂର୍ବରୁ ସ୍ପଷ୍ଟ କରି ଦେଇଛି। ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ସୈନ୍ୟ ଅପସାରଣ ହେବା ପରେ ଭାରତ ଓ ଚୀନ୍‌ ୧୦ମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଏ ପ୍ରସଙ୍ଗରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟ ଟେଲିଫୋନ୍‌ରେ କଥାବାର୍ତ୍ତା ହୋଇଥିଲା। ଦୁଇ ଦେଶର ସାମଗ୍ରିକ ସୁସମ୍ପର୍କ ନିମନ୍ତେ ସୀମାନ୍ତରେ ଶାନ୍ତି ଓ ସ୍ଥିରତା ଅପରହାର୍ଯ୍ୟ ବୋଲି ଭାରତ ସବୁବେଳେ ଗୁରୁତ୍ୱାରୋପ କରି ଆସୁଛି । ଗତ ସପ୍ତାହରେ ସେନା ମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଓ୍ଵଣେ କହିଥିଲେ, ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ସୈନ୍ୟ ଅପସାରଣ ପରେ ଭାରତ ପ୍ରତି ବିପଦ ହ୍ରାସ ପାଇଛି, କିନ୍ତୁ ସମ୍ପୂର୍ଣ୍ଣ ଟଳିନାହିଁ ।

Advertisement