ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ : ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା

186
ADVERTISEMENT

ମହାରାଷ୍ଟ୍ର,୦୫/୦୪(ଡ଼ି.ଏଚ/ବ୍ୟୁରୋ): ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ଅନୀଲଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆସିବାର କିଛି ସମୟ ମଧ୍ୟରେ ଅନୀଲ ଦେଶମୁଖ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଦେଖା କରିଥିଲେ । ସେଠାରୁ ଫେରି ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପଠାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂ ଅନୀଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ କି ଅନୀଲ ତାଙ୍କୁ ଏବଂ ଗିରଫ ହୋଇଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଭାଜେଙ୍କୁ ପ୍ରତିମାସ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ ଚାପ ପକାଉଥିଲେ । ଏନେଇ ପରମବୀର ସିଂ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆଜି ପ୍ରାଥମିକ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏଠି ପ୍ରଶ୍ନ ଉଠୁଛି କି ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ନା ଚାପରେ ପଡି ଇସ୍ତଫା ଦେଇଛନ୍ତି ।

Advertisement