କୋଲ୍କାତା,୦୪/୦୪(ଡ଼ି.ଏଚ/ବ୍ୟୁରୋ): ନିର୍ବାଚନ ପ୍ରଚାର ବେଳେ ରବିବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବେହଲାରେ ତୃଣମୂଳ କଂଗ୍ରେସର ସମର୍ଥକମାନଙ୍କ ଆକ୍ରମଣର ସରବ୍ୟ ହୋଇଥିବା କଥା ବିଜେପି ପ୍ରାର୍ଥୀ ପାୟେଲ୍ ସର୍କାର କହିଛନ୍ତି । ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ଅଭିନେତାରୁ ରାଜନେତା ହୋଇଥିବା ପାୟେଲ୍ ସର୍କାର ନିର୍ବାଚନ ପ୍ରଚାର ଚଳାଇଥିବା ବେଳେ ଠାକୁରପୁକୁରରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ପାୟେଲ୍ ସର୍କାରଙ୍କ ସହ ପ୍ରଚାରରେ ଯାଇଥିବା କେତେକ ସଦସ୍ୟ ମଧ୍ୟ ଚିକିତ୍ସିତ ହେଉଥିବାର ଫଟୋ ଏବେ ଗଣମାଧ୍ୟମରେ ପ୍ରକାଶ ପାଉଛି। ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କରାଯିବା ପରେ ଠାକୁରପୁକୁରର ପରସ୍ଥିତି ଉତ୍ତେଜନାମୟ ରହିଛି। ଏ ସଂକ୍ରାନ୍ତରେ ବିଜେପି କୌଣସି ଔପଚାରିକ ବିବୃତି ଜାରି କରିନାହିଁ । ଏବର୍ଷ ଫେବ୍ରୁଆରିରେ ପାୟେଲ୍ ସର୍କାର ବିଜେପିରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭାର କେତେକ କ୍ଷେତ୍ରରେ ଶାସକ ତୃଣମୂଳ କଂଗ୍ରେସ ଏବଂ ବିଜେପି କେତେକ ବଙ୍ଗୀୟ ଅଭିନେତାଙ୍କୁ ପ୍ରାର୍ଥୀ କରିଛନ୍ତି । ବିଜେପିରେ ଯୋଗ ଦେବା ନିମନ୍ତେ ନେଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଥରେ ପଚରା ଯିବାରୁ ପାୟଲ୍ ସର୍କାର କହିଥିଲେ, ରାଜନୀତି ପ୍ରତି ମୋର ଆଗ୍ରହ ଥିଲା, କିନ୍ତୁ, କେବେ ସକ୍ରିୟ ଭାବେ ସେଥିରେ ଯୋଗ ଦେଇ ନ ଥିଲି। ବିଜେପିର ଆଦର୍ଶବାଦ ସହ ସମଭାବାପନ୍ନ ହୋଇଥିବାରୁ ମୁଁ ବିଜେପିରେ ଯୋଗ ଦେଇଛି । ଏବର୍ଷ ମାର୍ଚ ମାସରେ ଗୃହ ମନ୍ତ୍ରାଳୟଦ୍ୱାରା ‘ସିଆଇଏସ୍ଏଫ୍’ ନିରାପତ୍ତା ଯୋଗଇ ଦିଆଯାଇଥିବା ୫ଜଣ ବିଜେପି ନେତାଙ୍କ ମଧ୍ୟରୁ ପାୟେଲ୍ ସର୍କାର ଅନ୍ୟତମ ।





















