ନୂଆଦିଲ୍ଲୀ,୩୦/୩ (ଡ଼ି.ଏଚ/ବ୍ୟୁରୋ): ଏପ୍ରିଲ୍ ଠାରୁ ମୋବାଇଲ୍ ଫୋନ୍ ବିଲ୍, ୟୁଟିଲିଟି ବିଲ୍, ମିଡିଆ ବିଷୟବସ୍ତୁ ପାଇଁ ସବସ୍କ୍ରିପସନ୍ ଚାର୍ଜ ଏବଂ ବ୍ୟାଙ୍କର ସ୍ବୟଂଚାଳିତ ବିଲ୍ ପୈଠ ବ୍ୟବସ୍ଥା(ଅଟୋ-ଡେବିଟ୍) ମାଧ୍ୟମରେ ଓଭର-ଟପ୍ ଷ୍ଟ୍ରିମିଂ ସେବା ପାଇଁ ଆପଣ କରୁଥିବା ମାସିକ ଦେୟ ବାଧାପ୍ରାପ୍ତ ହେବ। ଏପରିକି ନେଟଫ୍ଲିକ୍ସ, ଆମାଜନ, ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ, ଟାଟା ପାୱାର ଏବଂ ବିଏସ୍ଇଏସ ଭଳି କମ୍ପାନି ମଧ୍ୟ ପ୍ରଭାବିତ ହେବେ। ଅର୍ଥାତ ଯଦି ଆପଣ କୌଣସି ଅନଲାଇନ ପ୍ଲାଟଫର୍ମ ବା ମୋବାଇଲ ରିଚାର୍ଜ ପାଇଁ ଅଟୋ-ଡେବିଟ୍ ପେମେଣ୍ଟ ସେଟ ଅପ ବା ସ୍ବୟଂଚାଳିତ ବିଲ୍ ପୈଠ ବ୍ୟବସ୍ଥା ବିକଳ୍ପ ରଖିଛନ୍ତି, ତେବେ ଏପ୍ରିଲଠାରୁ ତାହା କାମ କରିବ ନାହିଁ। ଆକାଉଣ୍ଟରୁ ଟଙ୍କା କଟି ରିଚାର୍ଜ ହେବା ପୂର୍ବରୁ ଆପଣଙ୍କ ପାଖକୁ ଏକ ମେସେଜ ଆସିବ। ଯଦି ଆପଣ ମେସେଜ ପାଇ ରିଚାର୍ଜକୁ ଅନୁମତି ଦେବେ, ତେବେ ଯାଇ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ।





















