ନୂଆଦିଲ୍ଲୀ,୨୭/୩ (ଡ଼ି.ଏଚ/ବ୍ୟୁରୋ): ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା ସଂକ୍ରମଣକୁ ରୋକିବାକୁ ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ ଘୋଷଣା କରାଯାଉଛି । ହେଲେ ଏହା ସେତେଟା ଫଳପ୍ରଦ ହେବ ନାହିଁ, କରୋନାର ଦ୍ୱିତୀୟ ଲହରୀ ଏଡ଼ାଯାଇ ନପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି । ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ୍ ଲଗାଯାଇପାରିବ ବୋଲି ଏକ ଜାତୀୟ କନକ୍ଲେଭରେ ଯୋଗଦେଇ ମତ ଦେଇଛନ୍ତି । ଆଗାମୀ ଦିନରେ କରୋନାର ମୁକାବିଲା ପାଇଁ ଅଧିକ ସଂଖ୍ୟାରେ ଲୋକଙ୍କ ଟିକାକରଣ କରାଯିବ । ପର୍ଯ୍ୟାୟ କ୍ରମେ କମ ବୟସର ବ୍ୟକ୍ତିମାନଙ୍କ ଟିକାକରଣ ପାଇଁ ପଦକ୍ଷେପ ନିଆଯିବ । ବର୍ତ୍ତମାନ ଯେଉଁମାନେ କୋଭିଡ୍ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ, ସେମାନଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦିଆଯାଉଛି । ସରକାରଙ୍କ ପକ୍ଷରୁ ଏଥିପାଇଁ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । କରୋନା ମହାମାରୀର ମୁକାବିଲା ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପ ବିଜ୍ଞାନସମ୍ମତ । କରୋନା ମୁକାବିଲା ପାଇଁ ନିଆଯାଇଥିବା କଣ୍ଟେନମେଣ୍ଟ ପଦକ୍ଷେପକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି । ଏଥିସହ କରୋନା ଭୂତାଣୁର ରୂପରେ କୌଣସି ପରିବର୍ତ୍ତନ ଆସୁଛି କି ନାହିଁ, ସେ ସମ୍ପର୍କରେ ଜାଣିବା ପାଇଁ ଜେନମ୍ ସିକ୍ୱେନସିଂ କରାଯାଉଛି । ଭାରତ ପକ୍ଷରୁ ଅନେକ ସତର୍କତା ମୂଳକ ପଦକ୍ଷେପ ନିଅ ଯାଉଥିଲେ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ଆସିବ, ଏହାକୁ ଏଡାଇ ହେବ ନାହିଁ । ମହାମାରୀ ଗୁଡିକ ସାଧାରଣତଃ ବିଭିନ୍ନ ପର୍ଯ୍ୟାୟରେ ଆସିଥାନ୍ତି, ତେଣୁ କୋଭିଡର ମଧ୍ୟ ବିଭିନ୍ନ ପର୍ଯ୍ୟାୟ ରହିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ ଜଣ ଆରୋଗ୍ୟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୫୨,୬୪୭ । କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୧ ହଜାର ୨୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମଳିଛି । କରୋନାମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ଚାଲୁ ରହିଛି । ଏପର୍ଯ୍ୟନ୍ତ ୫କୋଟି ୮୧ ଲକ୍ଷ ୯ ହଜାର ୭୭୩ ଜଣଙ୍କୁ ଟିକା ଦିଆଯାଇଛି ।





















