ନୂଆଦିଲ୍ଲୀ,୨୬/୩ (ଡ଼ି.ଏଚ/ବ୍ୟୁରୋ): ଆଜି ସକାଳ ୭ଟାରେ ପଶ୍ଚିମବଙ୍ଗ ଏବଂ ଆସାମ ରାଜ୍ୟ ବିଧାନସଭା ନିମନ୍ତେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଭୋଟ ଦେବା ଲାଗି ବହୁସଂଖ୍ୟକ ନାଗରିକ ଭୋଟ୍ ଗ୍ରହଣ କେନ୍ଦ୍ର ସାମ୍ନାରେ ଧାଡ଼ି ବାନ୍ଧିଥିବା ଦେଖାଯାଉଛି । ଏହି ନିର୍ବାଚନରେ, ବିପୁଳ ସଂଖ୍ୟାରେ ଭୋଟ୍ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।ସେହିଭଳି, ଆସାମବାସୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି। ଭୋଟ୍ ଦେବାକୁ ଯୋଗ୍ୟ ବିବେଚିତମାନଙ୍କୁ ଅନୁରୋଧ ସେମାନେ ରେକର୍ଡ ସଂଖ୍ୟାରେ ଭୋଟ୍ ଦିଅନ୍ତୁ। ଭୋଟ୍ ଦେବା ଲାଗି ମୋର ଯୁବ ବନ୍ଧୁମାନଙ୍କୁ ସବିଶେଷ ଆହ୍ଵାନ। ଆଜି ଚାଲିଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ୩୦ଟି ଓ ଆସାମରେ ୪୭ଟି ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ କରାଯାଉଛି। ଏହି ଦୁଇଟି ରାଜ୍ୟରେ ଯଥାକ୍ରମେ ୨୯୪ ଏବଂ ୧୨୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ଆସାମରେ ୩ଟି ପର୍ଯ୍ୟାୟରେ ମତଦାନ ହେବ। ଏପ୍ରିଲ ୧ ଓ ୬ରେ ଆସାମରେ ଆଉ ୨ଟି ପର୍ଯ୍ୟାୟ ମତଦାନ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି। ଏପ୍ରିଲ୍ ୨୯ ସୁଦ୍ଧା ପଶ୍ଚିମବଙ୍ଗର ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହେବ। ସେହିପରି, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ଆସନ ନିମନ୍ତେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ କରାଯିବ ବୋଲି ସ୍ଥିର କରାଯାଇଛି।



















