ସୁପ୍ରିମ୍‌ କୋର୍ଟ :ବିଧାନସଭା ନିର୍ବାଚନ ପୂର୍ବରୁ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ଜାରି

562
ADVERTISEMENT

ନୂଆଦିଲ୍ଲୀ,୨୬/୩ (ଡ଼ି.ଏଚ/ବ୍ୟୁରୋ): ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ଜାରି ଉପରେ ରହିତାଦେଶ ଜାରି କରିବା ଲାଗି ଆଗତ ଏକ ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଛନ୍ତି । ନିର୍ବାଚନୀୟ ଏବଂ ରାଜନୈତିକ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଅଣ-ସରକାରୀ ସଙ୍ଗଠନ ‘ଦି ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌’ (ଏଡିଆର୍‌) ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ରହିତାଦେଶ ଜାରି କରିବା ଲାଗି ଆବେଦନ କରିଥିଲା। ଏପ୍ରିଲ୍‌ ୧ରୁ ଏପ୍ରିଲ୍‌ ୧୦ ମଧ୍ୟରେ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ବିକ୍ରୟ ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଛି। ପଶ୍ଚିମବଙ୍ଗ, ଆସାମ ଏବଂ ଅନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଅଗ୍ରଣୀ କମ୍ପାନିମାନେ ରାଜନୈତିକ ଦଳମାନଙ୍କୁ ଆବଶ୍ୟକ ଅର୍ଥ ଯୋଗାଇବେ ବୋଲି ‘ଏଡିଆର୍‌’ ସନ୍ଦେହ କରିଥିଲା। ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ, ବିଚାରପତି ଏଏସ୍‌ ବୋପନ୍ନା ଏବଂ ଭି. ରାମସୁବ୍ରମଣ୍ୟମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ ଯେ, ୨୦୧୮ରୁ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ନିର୍ଦ୍ଦିଷ୍ଟ ବ୍ୟବଧାନ ଜାରି କରାଯାଉଛି ଏବଂ ସେଥିପାଇଁ ଯଥେଷ୍ଟ ନୀତିନିୟମ ରହିଛି। ୨୦୧୮, ୨୦୧୯ ଏବଂ ୨୦୨୦ରେ ଏହା ରିଲିଜ୍‌ କରାଯାଇଛି। ତେଣୁ, ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ଉପରେ ରହିତାଦେଶ ଜାରି କରିବା ଲାଗି କୌଣସି ଯଥାର୍ଥତା ଥିବା ଆମେ ମନେକରୁନାହୁଁ।
‘ଏଡିଆର୍‌’ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ପ୍ରଶାନ୍ତ ଭୂଷଣ ସୁପ୍ରିମ୍‌ କୋର୍ଟରେ ଯୁକ୍ତି ବାଢ଼ିଥିଲେ। ଖଣ୍ଡପୀଠ କହିଲେ ଯେ, ଏହି ଆର୍ଥିକ ଦେଣନେଣରେ ସବୁବେଳେ ଶାସକ ଦଳ ଉପକୃତ ହେଉନାହିଁ। ସବୁ ରାଜନୈତିକ ଦଳ ଉପକୃତ ହେଉଛନ୍ତି।

Advertisement