ନରେନ୍ଦ୍ର ମୋଦୀ ଆତଙ୍କର ଅବସାନ ନିମନ୍ତେ ପାକିସ୍ତାନ ଦିବସ ଅବସରରେ ମଙ୍ଗଳବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଲିଖିତ ପତ୍ରରେ ଜଣାଇଛନ୍ତି

214
The Prime Minister, Shri Narendra Modi
ADVERTISEMENT

ନୂଆଦିଲ୍ଲୀ,୨୪/୩ (ଡ଼ି.ଏଚ/ବ୍ୟୁରୋ): : ଆତଙ୍କର ଅବସାନ ଆବଶ୍ୟକ କହି ପାକିସ୍ତାନ ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପାକିସ୍ତାନର ଜାତୀୟ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଲିଖିତ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ପଡ଼ୋଶୀ ଦେଶ ହିସାବରେ ପାକିସ୍ତାନ ଜନତାଙ୍କ ସହ ଭାରତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରକ୍ଷା କରିବାକୁ ଇଚ୍ଛୁକ। ଏଥିପାଇଁ ଆତଙ୍କ ଏବଂ ତିକ୍ତତା ବିବର୍ଜିତ ବିଶ୍ୱସନୀୟ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ମହାମାରୀ କୋଭିଡ୍‌-୧୯ ଦମନ କରିବା ଲାଗି ପାକିସ୍ତାନ ଚଳାଇଥିବା ଉଦ୍ୟମ ପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସଦିଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ମାନବତାର ଏହି ଦୁଃସ୍ଥିତି ସମୟରେ ମହାମାରୀ କୋଭିଡ୍‌-୧୯ର ଆହ୍ଵାନ ସବୁକୁ ମୁକାବିଲା କରୁଥିବା ପାକିସ୍ତାନବାସୀଙ୍କୁ ମୋର ଶୁଭକାମନା। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ପାକିସ୍ତାନ ତା’ର ୭୦ତମ ‘ଜାତୀୟ ଦିବସ’ ପାଳନ କରିଛି। ୧୯୪୦ର ‘ଲାହୋର ପ୍ରସ୍ତାବନା’ ସ୍ମରଣାର୍ଥେ ପ୍ରତିବର୍ଷ ମାର୍ଚ ୨୩ରେ ଏହି ଦିବସ ପାଳନ କରାଯାଏ। ଏହି ଦିନ ମଧ୍ୟ ପାକିସ୍ତାନର ପ୍ରଥମ ସମ୍ବିଧାନ ଗୃହୀତ ହୋଇଥିଲା। ସେବେଠାରୁ ‘ଡୋମିନିୟନ୍‌ ଅଫ୍‌ ପାକିସ୍ତାନ’ ପରିବର୍ତ୍ତିତ ହୋଇ ‘ଇସ୍‌ଲାମିକ୍‌ ରିପବ୍ଲିକ୍‌ ଅଫ୍‌ ପାକିସ୍ତାନ’ ଘୋଷିତ ହୋଇଥିଲା। ସେହି ଦିନ ହିଁ ପାକିସ୍ତାନ ବିଶ୍ୱର ପ୍ରଥମ ଇସ୍‌ଲାମିକ୍‌ ରିପବ୍ଲିକ୍‌ ରାଷ୍ଟ୍ରରେ ପରିଗଣିତ ହୋଇଥିଲା। ଭାରତ ପ୍ରତିବର୍ଷ ନିୟମିତ ଏହି ପତ୍ର ପାକିସ୍ତାନକୁ ପଠାଏ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।

Advertisement