ନୂଆଦିଲ୍ଲୀ,୨୪/୩ (ଡ଼ି.ଏଚ/ବ୍ୟୁରୋ): ଏକ ବ୍ୟାଙ୍କ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଏସ୍.କେ. ସୁବ୍ରମଣ୍ୟ ରେଡ୍ଡୀ ଓ ଅନ୍ୟମାନଙ୍କର ୪କୋଟି ୮୩ ଲକ୍ଷ ଟଙ୍କା ମୂଲ୍ୟର ୫ଟି ସ୍ଥାବର ସମ୍ପତ୍ତିକୁ ଜବତ କରିଛି। ସେଗୁଡ଼ିକ କର୍ଣ୍ଣାଟକର ବେଙ୍ଗାଲୁରୁରେ ଅବସ୍ଥିତ। ସିବିଆଇ ଓ ଦୁର୍ନୀତି ନିବାରଣ ବ୍ୟୁରୋ ଦ୍ୱାରା ଦାଏର ହୋଇଥିବା ଅଭିଯୋଗକୁ ଭିତ୍ତିକରି ଇଡି ତଦନ୍ତ ଆରମ୍ଭ କରିଥିଲା । ବ୍ୟାଙ୍କ ଅଫ୍ ବରୋଦାର କେଙ୍ଗେଡି ଶାଖାର ମ୍ୟାନେଜର ଟି.ଏନ୍. ପ୍ରବୀଣକୁମାରଙ୍କ ବିରୁଦ୍ଧରେ ସିବିଆଇ ଓ ଦୁର୍ନୀତି ନିବାରଣ ବ୍ୟୁରୋ ଏଫ୍ଆଇଆର୍ ରୁଜୁ କରିଥିଲେ। ଏସ୍.କେ. ସୁବ୍ରମଣ୍ୟ ରେଡ୍ଡୀଙ୍କ ସହ ମିଶି ଟି.ଏନ୍. ପ୍ରବୀଣକୁମାର ୧୮୬ଟି ସୁନାଋଣ ମଞ୍ଜୁର କରିଥିଲେ। ଶ୍ରୀ ରେଡ୍ଡୀ ସେହି ଅର୍ଥ ତାଙ୍କର ବକେୟା ଋଣ ପରିଶୋଧ କରିବା ପାଇଁ ସିଣ୍ଡିକେଟ ବ୍ୟାଙ୍କରେ ଜମା ଦେଇଥିବା ତଦନ୍ତରୁ ଜଣାପଡ଼ିଛି।




















