ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ପଡ଼ିଲା ବଜ୍ରପାତରେ :ଟ୍ରକ୍ ଟି ସମ୍ପୂର୍ଣ ଜଳିଯାଇଛି

461
ADVERTISEMENT

ନୂଆଦିଲ୍ଲୀ,୨୪/୩ (ଡ଼ି.ଏଚ/ବ୍ୟୁରୋ): ରାଜସ୍ଥାନର ଭିଲୱାଡା ଜିଲ୍ଲା ହନୁମାନନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାଖାପାଖି ୪୫୦ଟି ଗ୍ୟାସ ସିଲିଣ୍ଡର ବୋଝେଇ କରି ଯାଉଥିବା ଗୋଟିଏ ଟ୍ରକ ଉପରେ ହଠାତ୍ ବଜ୍ରପାତ ପଡ଼ିଥିଲା । ଫଳରେ ଆଖିପିଛୁଳାକେ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଲାଗିଯିବା ଫଳରେ ଟ୍ରକରେ ବୋଝେଇ ହୋଇଥିବା ସିଲିଣ୍ଡରଗୁଡିକ ଫାଟିବାକୁ ଆରମ୍ଭ କରିଥିଲା । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଆଖପାଖ ଅଞ୍ଚଳ ଥରିବାକୁ ଲାଗିଥିଲା । ଭିଲୱାଲା ପୁଲିସ ଅଧୀକ୍ଷକ ବିକାଶ ଶର୍ମାଙ୍କ କହିବା ମୁତାବକ ଜୟପୁରରୁ ୪୦୦ରୁ ଅଧିକ ଗ୍ୟାସ ସିଲିଣ୍ଡର ନେଇ ଟ୍ରକଟି ଜାତୀୟ ରାଜପଥ ୫୨ ଦେଇ କୋଟା ଯାଉଥିଲା । ଟିକଡ ଗାଁ ନିକଟରେ ଟ୍ରକଟି ଏକ ଡିଭାଇଡର ଦେହରେ ପିଟି ହୋଇଯିବାରୁ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ସେହି ଅଞ୍ଚଳରେ ବର୍ଷା ସହ ଘଡଘଡି ଓ ବିଜୁଳି ମାରୁଥିଲା । ଏହି ବଜ୍ରପାତ ମାଡ଼ରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ଗ୍ୟାସ ସିଲିଣ୍ଡର ଫାଟିବାକୁ ଆରମ୍ଭ କରିଥିଲା । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ପ୍ରଥମେ ରାସ୍ତାର ଦୁଇ ପାର୍ଶ୍ବରେ ଯାତାୟତ ବନ୍ଦ କରିଦେଇଥିଲା । ବିସ୍ଫୋରଣ ନିଆଁ ଏତେ ଦୂରକୁ ଛିଟିକି ପଡୁଥିଲା କି କୌଣସି ଯାନରେ ନିଆଁ ଲାଗିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରୁ ନ ଥିଲା । ଏହି ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲେ ବି କେହି ମୃତାହତ ହୋଇଥିବା ସୂଚନା ମିଳି ନାହିଁ ।

Advertisement