ପଞ୍ଜାବ,୧୮/୩,(ଡ଼ି.ଏଚ/ବ୍ୟୁରୋ): ପଞ୍ଜାବରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ ରାଜ୍ୟର ୯ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଇବାକୁ ଘୋଷଣା କରିଛନ୍ତି । ଏହି ନାଇଟ୍ କର୍ଫ୍ୟୁ ରାତି ୯ରୁ ସକାଳ ୫ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ସନ୍ଧ୍ୟା ସୁଦ୍ଧା ଗାଇଡଲାଇନ୍ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନା ମୁତାବକ, ମେ’ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ଗୁଣା ବୃଦ୍ଧି ପାଇଛି । ଏହାସହ ଏବେ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ୧ତାରିଖରେ ରାଜ୍ୟରେ ୫୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମାର୍ଚ୍ଚ ୧୭ରେ ସଂକ୍ରମିତଙ୍କ ସଂଖ୍ୟା ୨୦୪୫ ରେ ପହଞ୍ଚିଛି। ବୁଧବାର ଦିନ ଗୋଟିଏ ଦିନରେ ରାଜ୍ୟରେ କରୋନା ସଂକ୍ରମଣରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।କରୋନାର ଦ୍ୱିତୀୟ ଲହରକୁ ନଜରରେ ରଖି ପଞ୍ଜାବ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କେବଳ ପଞ୍ଜାବ ନୁହେଁ, ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।





















