ନୂଆଦିଲ୍ଲୀ,୧୪/୩,(ଡ଼ି.ଏଚ/ବ୍ୟୁରୋ): ୪ ଦେଶର କ୍ୱାଡ ଗ୍ରୁପ୍ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ହୃହଦରେ ସ୍ୱାଗତ କରିଛନ୍ତି। ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ମୋଦିଙ୍କୁ ଭେଟିଛନ୍ତି। କ୍ୱାଡ ଗ୍ରୁପ୍ର ଡିଜିଟାଲ ଫର୍ମରେ ଆୟୋଜିତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କାଟ ମାରିସନ୍, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଯୋଗ ଦେଇଥିଲେ। ଏହି ଭର୍ଚୁଆଲ ମିଟିଂରେ ପ୍ରଧାନମନ୍ତ୍ରୀ ମୋଦି କହିବାକୁ ଆସିଥିଲେ। ତାଙ୍କୁ ଦେଖିବା କ୍ଷଣି ବାଇଡେନ କହିଥିଲେ, ‘ ପ୍ରଧାନମନ୍ତ୍ରୀ ମୋଦି, ଆପଣଙ୍କୁ ଦେଖି ବହୁତ ଭଲ ଲାଗିଲା।’ ଭର୍ଚୁଆଲ ମିଟିଂରେ ମୋଦି କହିଥିଲେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶକୁ ସାହାଯ୍ୟ କରିବା ପାଇଁ ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆ ସହଯୋଗରେ ଭାରତର ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରିବ। ସେ କହିଥିଲେ, କୋଭିଡ ୧୯ ବିରୋଧରେ ଆମେ ସମସ୍ତେ ଏକ ହୋଇ ଲଢେଇ କରିଥିଲେ। ଏବେ କୋଭିଡ ଟିକା ପହଞ୍ଚାଇବା ପାଇଁ ହାତ ବଢାଇବା। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଟିକା, ଜଳବାୟୁ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ କ୍ୱାଡ ଶିଖର ସମ୍ମିଳନୀରେ ଚର୍ଚ୍ଚା କରାଯିବ । ଏହି ଆଲୋଚନା ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି, ସ୍ଥିରତା ପାଇଁ ସରକାରାତ୍ମକ ଶକ୍ତି ଯୋଗାଇବ। ସେ ଆହୁରି କହିଥିଲେ, ଏହି ସମ୍ମେନଳରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କ୍ୱାଡ ଏବେ ବିକଶିତ ହୋଇଛି ଏବଂ ଏହି କ୍ଷେତ୍ରରେ ସ୍ଥିରତା ଏକ ମହତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇ ରହିବ ।




















