ଆଜି ମହାଶିବରାତ୍ରୀ ଅବସରରେ ହରିଦ୍ୱାରରେ ୨୦୨୧ କୁମ୍ଭ ମେଳାର ପ୍ରଥମ ‘ଶାହୀ ସ୍ନାନ’

276
ADVERTISEMENT

ହରିଦ୍ୱାର,୧୧/୩,(ଡ଼ି.ଏଚ/ବ୍ୟୁରୋ): ଆଜି ମହାଶିବରାତ୍ରୀ ଅବସରରେ ହରିଦ୍ୱାରରେ ୨୦୨୧ କୁମ୍ଭ ମେଳାର ପ୍ରଥମ ‘ଶାହୀ ସ୍ନାନ’ ଆୟୋଜନ କରାଯାଇଛି। ୨୦୨୧ କୁମ୍ଭମେଳା କାର୍ଯ୍ୟକ୍ରମ ସାରଣୀରେ ଥିବା ପ୍ରମୁଖ କାର୍ଯ୍ୟକ୍ରମରେ ୪ଟି ‘ଶାହୀ ସ୍ନାନ’ ଏବଂ ୯ଟି ‘ଗଙ୍ଗା ସ୍ନାନ’ ରହିଛି । ସେପଟେ, ମହାଶିବରାତ୍ରୀ ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।ମହାଶିବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍‌ କରିଛନ୍ତି, ମହାଶିବରାତ୍ରୀର ପବିତ୍ର ବେଳାରେ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ହର-ହର ମହାଦେବ । ଆଜି ଆରମ୍ଭ ହୋଇଥିବା ‘ଶାହୀ ସ୍ନାନ’ ଅବସରରେ ଭକ୍ତମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ହରିଦ୍ୱାରା କୁମ୍ଭମେଳା ପ୍ରଶାସନ ପକ୍ଷରୁ ପ୍ରାୟ ୫୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏଥିସହ ଅନେକ ସିସିଟିଭି କ୍ୟାମେରା ଓ ଡ୍ରୋନ୍‌ ମଧ୍ୟ ମୁତୟନ କରାଯାଇଛି । ‘ହର୍‌କି ପୌରି’ରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଖଡ଼ାମାନଙ୍କ ଲାଗି ଏହି ପବିତ୍ର ସ୍ନାନ ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବସାଧାରଣଙ୍କ ନିମନ୍ତେ ସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୫ଟା ପରେ ସ୍ନାନ ପାଇଁ ବ୍ୟବସ୍ଥା କରାଯାଇଥିବା କଥା ଉତ୍ତରାଖଣ୍ଡର ପୁଲିସ ମହାନିର୍ଦେଶକ ଅଶୋକ କୁମାର କହିଛନ୍ତି। ଏହାଛଡ଼ା ଅନ୍ୟ ଘାଟଗୁଡ଼ିକ ସମସ୍ତଙ୍କ ସ୍ନାନ ଲାଗି ସବୁବେଳେ ଉନ୍ମୁକ୍ତ ରହିବ । ଗୁରୁବାର ଦିନ ମହାଶିବରାତ୍ରୀ ଉପଲକ୍ଷେ ପ୍ରଥମ ପବିତ୍ର ବୁଡ଼ ପକାଇବାକୁ ଆସୁଥିବା ଯାତ୍ରୀଙ୍କ ଉପରେ ହେଲିକପ୍ଟର୍‌ରୁ ପୁଷ୍ପବୃଷ୍ଟି କରାଇବାକୁ ବୁଧବାର ଦିନ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ୍‌ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।

Advertisement