ନୂଆଦିଲ୍ଲୀ,୪/୩,(ଡ଼ି.ଏଚ/ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ହୋର୍ଡିଙ୍ଗ୍ଗୁଡ଼ିକୁ ୭୨ ଘଣ୍ଟା ମଧ୍ୟରେ ହଟାଇ ଦେବା ଲାଗି ଭାରତର ନିର୍ବାଚନ କମିସନ୍ ପେଟ୍ରୋଲ୍ ପମ୍ପ୍ଗୁଡ଼ିକୁ ନିର୍ଦେଶ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଇ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାର ପାଇଁ ପେଟ୍ରୋଲ୍ ପମ୍ପ୍ରେ ଲାଗିଥିବା ହୋର୍ଡିଙ୍ଗ୍ ସବୁ ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ କରୁଛି ବୋଲି ନିର୍ବାଚନ କମିସନ୍ କହିଛି। ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଗତ ଶୁକ୍ରବାର ଦିନ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିବା ପରେ ଆଚରଣ ବିଧି କାର୍ଯ୍ୟକାରୀ ହୋଇଯାଇଛି। କୋଭିଡ୍-୧୯ ଟିକାକରଣ ଅଭିଯାନ ନିମନ୍ତେ ଉଦ୍ଦିଷ୍ଟ ପୋଷ୍ଟର୍ ଏବଂ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ବ୍ୟବହାର ଉପରେ ତୃଣମୂଳ କଂଗ୍ରେସ ନିର୍ବାଚନ କମିସନଙ୍କ ନିକଟରେ ଆପତ୍ତି କରିବା ପରେ ଏଭଳି ନିର୍ଦେଶନାମା ଜାରି କରାଯାଇଛି । ଟିକାକରଣ ଅଭିଯାନରେ ବ୍ୟବହୃତ ପ୍ରଚାର ସାମଗ୍ରୀଗୁଡ଼ିକରୁ ମଧ୍ୟ ୭୨ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ଲାଗି ନିର୍ବାଚନ କମିସନ୍ ନିର୍ଦେଶ ଦେଇଛନ୍ତି । ଜଣେ ନିର୍ବାଚନ କମିସନ୍ କର୍ମଚାରୀଙ୍କ କହିବା ଅନୁସାରେ, ସେମାନେ ଏହି ପ୍ରକାରର ୧୦୦୦ରୁ ଊର୍ଦ୍ଧ୍ୱ ଅଭିଯୋଗ ପାଇଥିଲେ। ସେଗୁଡ଼ିକରୁ ୪୫୦ଟି ଯଥାର୍ଥ ବୋଲି ଜଣାପଡ଼ିଛି।



















