ଉତ୍ତର ପ୍ରଦେଶ,୦୧/୦୩(ଡ଼ି.ଏଚ/ବ୍ୟୁରୋ): ଉତ୍ତର ପ୍ରଦେଶର ପ୍ରାଚୀନ ତଥା ପବିତ୍ର ନଗରୀ ଅଯୋଧ୍ୟାରେ ବିଶାଳ ରାମ ମନ୍ଦିର ନିର୍ମାଣ ନିମନ୍ତେ ୨୧୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଥିବା କଥା ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ ସୂଚନା ଦେଇଛି। ଏଥିସହ ଶନିବାର ଦିନ ଶେଷ ହୋଇଛି ଏହି ୪୪ ଦିନିଆ ପାଣ୍ଠି ସଂଗ୍ରହ ଅଭିଯାନ। ରାମ ମନ୍ଦିର ପରିସର ନିର୍ମାଣ ନିମନ୍ତେ ଏହି ପାଣ୍ଠି ସଂଗ୍ରହ ଅଭିଯାନରେ ପ୍ରାୟ ୧୧୦୦ କୋଟି ଟଙ୍କା ସଂଗ୍ରହ କରିହେବ ବୋଲି ଟ୍ରଷ୍ଟ୍ ଆକଳନ କରିଥିଲା। କିନ୍ତୁ, ଜାନୁଆରି ୧୫ରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଆକଳନ ଠାରୁ ୧୦୦୦ କୋଟି ଟଙ୍କା ଅଧିକ ସଂଗ୍ରହ ହୋଇପାରିଛି । ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ଧାର୍ମିକ ବାଧାବନ୍ଧନ ଏଡ଼ାଇ ଭାରତର ଦୂରଦୂରାନ୍ତ ଗ୍ରାମର ଅଧିବାସୀଙ୍କ ସମେତ ସବୁ ବର୍ଗର ଜନତାଙ୍କ ବୈଦାନ୍ୟଭରା ଦାନ ଗ୍ରହଣ ସହ ପାଣ୍ଠି ଯୋଗାଡ଼ ଅଭିଯାନ ଶେଷ ହୋଇଛି। ଶନିବାର ସନ୍ଧ୍ୟାସୁଦ୍ଧା ମୋଟ୍ ଦାନର ପରିମାଣ ୨୧୦୦ କୋଟି ଟଙ୍କାରୁ ଯଥେଷ୍ଟ ଅଧିକ ହୋଇଯାଇଛି। ମନ୍ଦିର ନିର୍ମାଣ ନିମନ୍ତେ ୩୦୦ରୁ ୪୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଗତ ଡିସେମ୍ବର ମାସରେ ଗିରି ଆକଳନ କରିଥିଲେ। ଏହାଛଡ଼ା, ସମଗ୍ର ରାମ ଜନ୍ମଭୂମି ପରିସର ନିର୍ମାଣ କାର୍ଯ୍ୟ ଲାଗି ଆହୁରି ୧୧୦୦ କୋଟି ଟଙ୍କା ଆବଶ୍ୟକ ବୋଲି ସେ ଅଟକଳ କରିଥିଲେ । କୋଟି କୋଟି ରାମଭକ୍ତଙ୍କ ଦାନ କରିଥିବା ବଳକା ଅର୍ଥର ଅପବ୍ୟବହାର ନ କରି ତାହାକୁ ଅଯୋଧ୍ୟାର ବିକାଶରେ ବିନିଯୋଗ କରିବା ଲାଗି ଅଯୋଧ୍ୟାର ସାଧୁସନ୍ଥମାନେ ମନ୍ଦିର ଟ୍ରଷ୍ଟ୍କୁ ପରାମର୍ଶ ଦେଇଛନ୍ତି।




















