ଭାରତ-ଚୀନ୍‌ ସମ୍ପର୍କରେ ଥିବା ସମସ୍ୟା ସମ୍ବନ୍ଧରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ କଥା ବାର୍ତ୍ତା

186
ADVERTISEMENT

ନୂଆଦିଲ୍ଲୀ ,୨୬।୦୨(ଡ଼ି.ଏଚ/ବ୍ୟୁରୋ): ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଏବଂ ଭାରତ-ଚୀନ୍‌ ସାମଗ୍ରିକ ସମ୍ପର୍କରେ ଥିବା ସମସ୍ୟା ସମ୍ବନ୍ଧରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୭୫ ମିନିଟ୍‌ ଧରି ଟେଲିଫୋନ୍‌ରେ କଥାବାର୍ତ୍ତା ହୋଇଛି । ଗୁରୁବାର ଦିନ ଟେଲିଫୋନ୍‌ରେ ହୋଇଥିବା ୭୫ ମିନିଟ୍‌ କଥାବାର୍ତ୍ତାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୨୦୨୦ ସେପ୍ଟେମ୍ବରରେ ମସ୍କୋରେ ହୋଇଥିବା ସାକ୍ଷାତ୍‌ କଥା ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟିଙ୍କୁ କହିଥିଲେ। ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ସୈନ୍ୟ ଅପସାରଣ କଥା ଉଠାଇ ଜୟଶଙ୍କର ଗୁରୁତ୍ୱାରୋପ କରି କହିଲେ ଯେ, ଏବେ ଉଭୟ ଦେଶ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ବାକି ସମସ୍ୟା ସବୁର ତ୍ୱରିତ ସମାଧାନ କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ବିବାଦୀୟ କ୍ଷେତ୍ରରୁ ସୈନ୍ୟ ଅପସାରଣ ଶେଷ ହେଲେ ଉଭୟ ପକ୍ଷ ସମ୍ପୃକ୍ତ ଅଞ୍ଚଳରୁ ଅଧିକ ସୈନ୍ୟ ପ୍ରତ୍ୟାହାର କରି ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପ୍ରତି ଦୃଷ୍ଟି ଦେବେ।
ସୀମା ନିର୍ଦ୍ଧାରଣ ସମସ୍ୟା ସମାଧାନ କରିବା ସମୟ ସାପେକ୍ଷ ହୋଇପାରେ, କିନ୍ତୁ ହିଂସାକାଣ୍ଡ ସମେତ ଶାନ୍ତି ଓ ସ୍ଥିରତାରେ ଦେଖା ଦେଉଥିବା ବିଶୃଙ୍ଖଳା ଦୁଇ ଦେଶର ସମ୍ପର୍କ ଉପରେ କୁପ୍ରଭାବ ପକାଇବ ବୋଲି ଜୟଶଙ୍କର କହିଛନ୍ତି। ସେହିପରି, ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟି ମଧ୍ୟ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ଲାଗି ହୋଇଥିବା ଅଗ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାଛଡ଼ା, ସୀମାନ୍ତ ଅଞ୍ଚଳର ପରିଚାଳନା ଓ ନିୟନ୍ତ୍ରଣକୁ ଉନ୍ନତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Advertisement