ମୁମ୍ବାଇ,୨୬।୦୨(ଡ଼ି.ଏଚ/ବ୍ୟୁରୋ): ଗୁରୁବାର ଦିନ ମୁମ୍ବାଇସ୍ଥିତ ମୁକେଶ ଅମ୍ବାନୀଙ୍କ ବାସଭବନ ବାହାରେ ରଖାଯାଇଥିବା ବିସ୍ଫୋରକ ଭରା ‘ଏସ୍ୟୁଭି’ରୁ ମିଳିଥିବା ଏକ ଚିଠିରେ ଲେଖାଯାଇଛି- ‘ୟେ ସିର୍ଫ ଟ୍ରେଲର୍ ହୈ’। ଡ୍ରାଇଭର୍ ସିଟ୍ ପାଖ ସିଟ୍ରେ ରଖାଯାଇଥିବା ଏକ ‘ମୁମ୍ବାଇ ଇଣ୍ଡିଆନ୍ସ୍’ ବ୍ୟାଗ୍ରୁ ମିଳିଥିବା ଏହି ଚିଠିର ଲେଖାକୁ ଶୁକ୍ରବାର ଦିନ ସାର୍ବଜନୀନ କରାଯାଇଛି। ଅମ୍ବାନୀଙ୍କ ପରିବାରବର୍ଗଙ୍କ ଉଦ୍ଦେଶ୍ୟରେ ଲିଖିତ ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଆଗକୁ ଏହି ସମାଗ୍ରୀ ବିକଶିତ ଅବସ୍ଥାରେ ଆପଣଙ୍କ ନିକଟରେ ପହଞ୍ଚାଇବା ଲାଗି ବନ୍ଦୋବସ୍ତ କରାଯାଇଛି । ଇଏ ତ ଗୋଟାଏ ଟ୍ରେଲ୍ର୍। ନୀତା ଭାଉଜ ଓ ମୁକେଶ ଭାଇ ପରିବାର, ଇଏ ତ ଝଲକ ମାତ୍ର। ଆର ଥରକୁ ଏ ସାମଗ୍ରୀ ବିକଶିତ ହୋଇ ଆପଣଙ୍କ ପାଖକୁ ଆସିବ। ସେଥିପାଇଁ ପୂରା ବନ୍ଦୋବସ୍ତ ସରିଛି । ମୁମ୍ବାଇସ୍ଥିତ ମୁକେଶକ ଅମ୍ବାନୀଙ୍କ ଘର ନିକଟରେ ରଖାଯାଇଥିବା କାର୍ ସଂକ୍ରାନ୍ତରେ ସ୍ୱୟଂ ଅଭିଯୁକ୍ତମାନେ ହିଁ ପୁଲିସକୁ ଫୋନ୍ କରିଥିଲେ ବୋଲି ପୁଲିସ ସନ୍ଦେହ କରୁଛି। ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ସାମଗ୍ରୀ ଭରା ଗାଡ଼ି ରଖିବା ଯୋଜନା ମାସେ ଧରି ଚାଲିଥିବା କଥା ମଧ୍ୟ ମୁମ୍ବାଇ ପୁଲିସ ସୂତ୍ରରୁ ଜଣାପଡ଼ିଛି । ପୁଲିସ କହିଛି, ଅଭିଯୁକ୍ତମାନେ ଉକ୍ତ ଗାଡ଼ିଟିକୁ ମୁକେଶ ଅମ୍ବାନିଙ୍କ ନିବାସ ‘ଆଣ୍ଟିଲିଆ’ର ଅତି ନିକଟରେ ରଖିବାକୁ ଚାହୁଁଥିଲେ, କିନ୍ତୁ ନିରାପତ୍ତା କାରଣରୁ ସେମାନେ ଗାଡ଼ିଟିକୁ ଘର ଠାରୁ କେତେ ଶହ ମିଟର୍ ଦୂରରେ ରଖି ଚାଲିଯାଇଥିଲେ । ସେମାନେ ମୁକେଶଙ୍କ ପରିବାରକୁ ‘ଟ୍ରାକିଙ୍ଗ୍’ କରୁଥିବା କଥା ମଧ୍ୟ ପୁଲିସ କହିଛି।




















