ପୁଣେ,୨୧/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଶନିବାର ଦିନ ପୁଣେରେ ୮୪୯ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଚିନ୍ତା ଆହୁରି ବଢ଼ି ଯାଇଛି। ଜିଲ୍ଲା ପ୍ରଶାସନ ରାତି ୧୧ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରିଛି। ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ସେହିପରି ଆସନ୍ତା ୨୮ ତାରିଖ ଯାଏ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ଏନେଇ ପୁଣେ ଡିଭିଜନାଲ୍ କମିଶନର ସୂଚନା ଦେଇଛନ୍ତି।
ଆସନ୍ତାକାଲିଠାରୁ ନୂଆ ଗାଇଡଲାଇନ୍ସ କାର୍ଯ୍ୟକାରୀ ହେବ ବୋଲି ପୁଣେ ଡିଭିଜନାଲ କମିଶନର ସୂଚନା ଦେଇଛନ୍ତି। ପୁଣେରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୯୭,୪୩୧ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୨,୫୬୧ ଥିବାବେଳେ ସେଥିମଧ୍ୟରୁ ୧୬୦ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ମହାରାଷ୍ଟ୍ରରେ ଗତ ଦୁଇ ଦିନ ହେବ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଦିନ ୬,୨୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ୬,୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନାଗପୁର, ଅମରାବତୀ, ୟଭତ୍ମାଲ୍ ଜିଲ୍ଲାରେ କରୋନା କେସ୍ ବଢ଼ୁଥିବା ଦେଖି ଏହିସବୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବା ପାଇଁ ମହାରାଷ୍ଟ୍ର ସରକାର ଚିନ୍ତା କରୁଛନ୍ତି। ସୂଚନାଥାଉ କି, ୟଭତ୍ମାଲ୍ରେ ଗୁରୁବାରଠୁ ୧୦ ଦିନିଆ ଲକ୍ଡାଉନ୍ ଘୋଷଣା ହୋଇଥିବା ବେଳେ ଅମରାବତୀରେ ସପ୍ତାହକ ପାଇଁ ଲକ୍ଡାଉନ୍ ଘୋଷଣା ହୋଇଛି।





















