ନୂଆଦିଲ୍ଲୀ,୧୮/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ମଙ୍ଗଳ ପୃଷ୍ଠରେ ଆଜିଠୁ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ ଆମେରିକା ସ୍ପେସ୍ ଏଜେନ୍ସି ନାସାର ରୋବର୍। ଆସନ୍ତା ଦୁଇ ଦିନରେ ଏହା ମଙ୍ଗଳ ପୃଷ୍ଠରେ ଅବତରଣ କରିବ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ପର୍ସିଭେରେନ୍ସ ରୋବର୍ ହେଉଛି ଚତୁର୍ଥ ପୀଢ଼ିର ରୋବର୍। ଏହି ରୋବର ମଙ୍ଗଳର ଜଜେରୀ ଫ୍ରିଟରରେ ଓହ୍ଲାଇବ ବୋଲି ଜଣାଯାଇଛି। କୁହାଯାଉଛି ଯେ, ମଙ୍ଗଳର ଏହି ଅଂଶରେ ପାଣି ପୂରା ଭରି ରୁହେ, ତେଣୁ ଏଠି ଜୀବନର ସତ୍ତା ଖୋଜିବ ରୋବର୍। ପୃଥିବୀର ଆରମ୍ଭ ସମୟର ପରିବେଶ ସହ ଏହି ଅଞ୍ଚଳର ପାଣିପାଗ ପ୍ରାୟତଃ ସମାନ ରହିଥିବା ନେଇ ବି ସୂଚନା ମିଳିଛି, ଆଉ ଏହା ଜଣାପଡିବା ପରେ ଏହି ରହସ୍ୟକୁ ଭେଦିବାକୁ ଚେଷ୍ଟା କରାଯାଇଛି । ଏହି ମିଶନ ଉପରେ ଏବେ ପୂରା ବିଶ୍ୱର ନଜର ରହିଛି। ଏହାଛଡ଼ା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପର୍ସିଭେରେନ୍ସ ରୋବର୍ ମଙ୍ଗଳ ପୃଷ୍ଠରେ ଅଙ୍ଗାରକାମ୍ଲରୁ ଅମ୍ଲଜାନ ଉତ୍ପାଦନ କରିବ। ଭବିଷ୍ୟତରେ ଏହା ମଙ୍ଗଳରେ ମଣିଷ ଜୀବନ ପାଇଁ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। ଠିକ୍ ସେହିପରି ଆଗାମୀ ଦିନରେ ମଙ୍ଗଳ ପୃଷ୍ଠରେ ବିମାନ ଅତରଣ ନେଇ କୌଣସି ଆଶା ରହିଛି କି ନାହିଁ ସେ ଦିଗରେ ବି ପର୍ସିଭେରେନ୍ସ ରୋବର୍ ଅନୁଧ୍ୟାନ କରିବ ବୋଲି ଜଣାଯାଇଛି। ଏହାପୂର୍ବରୁ ନାସା ୧୯୯୭, ୨୦୦୪ ଏବଂ ୧୨ରେ ବିଭିନ୍ନ ଜେନେରେସନରେ ରୋବରକୁ ପଠାଇଛି। ଚଳିତ ସପ୍ତାହରେ ୟୁଏଇ ହୋପ ଅଭିଯାନ ଓ ଚୀନର ତିୟାନ୍ୱିନ୍-୧ ମଙ୍ଗଳ କକ୍ଷରେ ପ୍ରବେଶ କରିଛି।




















