ନୂଆଦିଲ୍ଲୀ,୧୭/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଶସ୍ତା ହେବ ମଦ। ପାଖାପାଖି ୩୦ ରୁ ୩୫ ଟଙ୍କା ମଦ ଉପରେ ଶୁଳ୍କ ଛାଡ଼ କରିବେ ରାଜ୍ୟ ସରକାର। ନୂଆ ଅବକାରୀ ନୀତିରେ ବିୟର ଉପରେ ଅତିରିକ୍ତ ଶୁଳ୍କ ଓ ଏମଆରପି ହ୍ରାସ କରିବା ପାଇଁ ଘୋଷଣା କରାଯାଇଛି, ଯେଉଁଥିରେ ୩୦-୩୫ ଟଙ୍କା ହ୍ରାସ କରାଯିବ ବୋଲି ସୂଚନା ରହିଛି। ତେବେ ଏହା ଚଳିତ ମାସ ନୁହେଁ ବରଂ ଆସନ୍ତା ଏପ୍ରିଲ ମାସଠୁ ଲାଗୁ ହେବ ବୋଲି ଜଣାଯାଇଛି। ଏଠାରେ ଆମେ ସ୍ପଷ୍ଟ ଭାବରେ କହିରଖୁଛୁ ଯେ, ମଦ ଦର ଓଡ଼ିଶାରେ ନୁହେଁ ବରଂ ରାଜସ୍ଥାନରେ କମିବ । ୨୦୨୧-୨୨ ବର୍ଷ ପାଇଁ ଘୋଷିତ ହୋଇଥିବା ରାଜସ୍ଥାନର ଅବକାରୀ ନୀତି ଅନୁସାରେ, ୧ ଏପ୍ରିଲଠାରୁ ଶସ୍ତା ବିୟର ଉପଲବ୍ଧ ହେବ। ନୂଆ ଅବକାରୀ ନୀତିରେ ବିୟର ଉପରେ ଅତିରିକ୍ତ ଶୁଳ୍କ ଓ ଏମଆରପି ହ୍ରାସ କରିବା ପାଇଁ ଘୋଷଣା କରାଯାଇଛି,ଯାହାଦ୍ୱାରା ୩୦-୩୫ ଟଙ୍କା ବିୟର ଉପରେ ହ୍ରାସ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।ଏହା ସହ ଦେଶରେ ପ୍ରସ୍ତୁତ ବିଦେଶୀ ମଦ ଓ ଆମଦାନୀ ମଦକୁ ବାଦ୍ ଦେଇ ସମସ୍ତ ଏକ୍ସାଇଜ ସାମଗ୍ରୀ ଉପରେ ସରଚାର୍ଜ ଲଗାଯିବ ନାହିଁ । ଏଠାରେ ଆମେ କହିରଖୁଛୁ ଯେ, ସରକାରୀ ଭାବରେ ଖୋଲାଯାଇଥିବା ଦେଶୀ ମଦର ମୂଲ୍ୟ କିନ୍ତୁ ହ୍ରାସ କରାଯିବ ନାହିଁ। ସରକାରୀ ନିୟମ ଅନୁସାରେ, ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ ବୋଲି ଜଣାପଡିଛି । ତେବେ ମଦ ରେଟ୍ ହ୍ରାସ ଖବର ଶୁଣିବା ପରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଯେ, ରାଜ୍ୟ ସରକାର ମଦ ଦରରେ ହ୍ରାସ କରିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। କାରଣ ଯେପରି ଭାବରେ ମଦ ଉପରେ ଟ୍ୟାକ୍ସ ନିଆଯାଉଛି ଅନେକ ଲୋକ ମଦ କିଣି ପାରୁନାହାନ୍ତି । ତେଣୁ କମ ଦାମରେ ମିଳୁଥିବା ଦେଶୀ କିମ୍ବା ଅପମିଶ୍ରିତ ମଦ ପିଇ ଅସୁସ୍ଥ ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତି ପ୍ରକୃତରେ ସ୍ୱାଗତଯୋଗ୍ୟ ।ଅନ୍ୟପଟେ ଅନେକ ଲୋକେ ଏହାକୁ ନାପସନ୍ଦ କରିଛନ୍ତି। କହିଛନ୍ତି ଯେ,ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡ଼ିଜେଲ ଦର ୧୦୦ ଛୁଇଁବାକୁ ବସିଲାଣି। ଯାହାଦ୍ୱାରା ସବୁ ସାମଗ୍ରୀର ଦର ବଢିବାରେ ଲାଗିଛି। କିନ୍ତୁ ସରକାର ତାହାର ଦର କମାଉନାହାନ୍ତି। କିନ୍ତୁ ମଦର ଦର କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା କେବଳ ରାଜ୍ୟରେ ମଦୁଆ ବଢିବେ। ଆଉ ଅଶାନ୍ତି ବଢିବା ସହ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବଢିବ। ତେଣୁ ମଦ ଦର ନୁହେଁ ବରଂ ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ କରିବା ଦରକାର ବୋଲି ନିଜ ପ୍ରତିକ୍ରିୟାରେ ଅନେକ ଲୋକ କହିଛନ୍ତି। କିନ୍ତୁ ଏନେଇ ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।




















