ମଧ୍ୟପ୍ରଦେଶରେ କେନାଲକୁ ଖସି ପଡ଼ିଲା ବସ୍‌ : ୫୦ମୃତ

161
ADVERTISEMENT

ନୂଆଦିଲ୍ଲୀ,୧୭/୦୨/୨୧(ଡ଼ି.ଏଚ/ବ୍ୟୁରୋ) :ମଧ୍ୟପ୍ରଦେଶର ସିଦ୍ଧିରେ ଘଟିଥିବା ବସ୍‌ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୁଧବାର ଦିନ ୫୦ରେ ପହଞ୍ଚିଥିବା କଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ରବୀନ୍ଦ୍ର କୁମାର ଚୌଧୁରୀ କହିଛନ୍ତି । ମଙ୍ଗଳବାର ସକାଳେ ମାତ୍ରାଧିକ ଯାତ୍ରୀଭରା ଏହି ଘରୋଇ ଯାତ୍ରୀବାହୀ ବସ୍‌ଟି ଏକ ଜଳପୂର୍ଣ୍ଣ କେନାଲ୍‌ ମଧ୍ୟକୁ ଖସି ପଡ଼ିଥିଲା। ସିଦ୍ଧିରୁ ସାତନା ଅଭିମୁଖେ ଯାତ୍ରା କରୁଥିବା ଏହି ବସ୍‌ଟି ସିଦ୍ଧି ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୮୦ କିଲୋମିଟର୍‌ ଦୂରରେ ଥିବା ପାଟନା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସିଦ୍ଧି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପଙ୍କଜ କୁମାଓ୍ଵାତ୍‌ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନିୟମିତ ଯାତାୟାତ ହେଉଥିବା ରାସ୍ତାରେ ଟ୍ରାଫିକ୍‌ ଗହଳି ରହୁଥିବାରୁ ଶୀଘ୍ର ପହଞ୍ଚିବା ପାଇଁ ଛୁଇହା ଉପତ୍ୟକା ନିକଟରେ ଡ୍ରାଇଭର୍‌ ଅନ୍ୟ ଏକ ରାସ୍ତାରେ ଗାଡ଼ି ଚଳାଉଥିଲେ। ସେ ବସ୍‌ରେ କିଛି ଚାକିରି ଆଶାୟୀଙ୍କର ପରୀକ୍ଷା ସମୟ ହୋଇଯାଉଥିବାରୁ ଦ୍ରୁତ ବେଗରେ ଗାଡ଼ି ଚଳାଇବାକୁ ସେମାନେ ଚାଳକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ, ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ବସ୍‌ଟି ଗୋଟାଏ କେନାଲ୍‌ ମଧ୍ୟକୁ ଖସିପଡ଼ିଥିଲା। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳର କର୍ମଚାରୀ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷମାନେ ଉଦ୍ଧାର କାର୍ଯ୍ୟ କରୁଥିଲେ ।
ରେଓ୍ଵା ଡିଭିଜ୍‌ନାଲ୍‌ କମିସନର୍‌ ରାଜେଶ ଜୈନଙ୍କ ଇଲାକାରେ ଦୁର୍ଘଟଣା ଘଟିଥିବାରୁ, ଦୁର୍ଘଟଣାର କାରଣ ଜାଣିବା ଲାଗି ସେ ବିଚାରବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି। ଦୁର୍ଘଟଣା ପରେ ଉକ୍ତ ବସ୍‌ର ଚାଳକ ବାଲେନ୍ଦ୍ୟୁ ବିଶ୍ୱକର୍ମା ନିଖୋଜ ହୋଇଯାଇଛନ୍ତି ବୋଲି ପୁଲିସ କହିଛି । ଏହି ଭୟାବହ ବସ୍‌ ଦୁର୍ଘଟଣାରେ ଭଗୀର ଶୋକ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି । ସେହିଭଳି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ମଧ୍ୟ ମୃତବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ପୃଥକ୍‌ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି ।

Advertisement