ଛତିଶଗଡ଼ର ୧୩ ମାଓବାଦୀ ଘରବାହୁଡ଼ା ଅଭିଯାନରେ ଆତ୍ମସମର୍ପଣ କଲେ

169
ADVERTISEMENT

ରାୟପୁର,୧୨/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ମୁଣ୍ଡପିଛା ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ୩ଜଣ ମାଓବାଦୀଙ୍କ ସମେତ ୧୩ଜଣ ସନ୍ଦିଗ୍ଧ ମାଓବାଦୀ ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଜିଲ୍ଲାର ବସ୍ତର ଅଞ୍ଚଳରେ ରାଜ୍ୟ ସରକାରଙ୍କ ‘ଲୋନ୍‌ ଓ୍ଵରାଟୁ’ ବା ଘରବାହୁଡ଼ା ଅଭିଯାନରେ ଆତ୍ମସମର୍ପଣ କରିଥିବା ଗୁରୁବାର ଦିନ ପୁଲିସ ସୂଚନା ମିଳିଛି । ୨୦୨୦ ଜୁନ୍‌ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏପର୍ଯ୍ୟନ୍ତ ସମୁଦାୟ ୩୧୦ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା କଥା ଜଣାପଡ଼ିଛି । ଚରମପନ୍ଥୀମାନଙ୍କର ‘ଫମ୍ପା’ ଆଦର୍ଶରେ ହତାଶ ହୋଇ ମାଓବାଦୀମାନେ ସେମାନଙ୍କର ଅସ୍ତ୍ର ସମର୍ପଣ କରିଥିବା କଥା ପୁଲିସ ଦାବି କରିଛି । ‘ଲୋନ୍‌ ଓ୍ଵରାଟୁ’ ଅଭିଯାନରେ ଆତ୍ମସମର୍ପଣ କରିବା ନିମନ୍ତେ ୫୦ଟି ସ୍ପର୍ଶକାତର ଗାଁର ମାଓବାଦୀମାନଙ୍କୁ ଉତ୍ସାହ ଦିଆଯାଉଛି। ନାମ ଉଲ୍ଲେଖ ନ କରାଯିବା ସର୍ତ୍ତରେ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଲୋନ୍‌ ଓ୍ଵରାଟୁ’ର ଉଦ୍ଦେଶ୍ୟ ହେଉଛି ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ଭଲ ଆୟ କରି ସ୍ୱାଭାବିକ ଜୀବନଯାପନ କରାଇବାରେ ସହାୟତା କରିବା। ଏହାର ଫଳାଫଳ ସକାରତ୍ମକ ହୋଇଛି। ଜିଲ୍ଲା ପ୍ରଶାସନ ସେମାନଙ୍କୁ ଟ୍ରାକ୍ଟର୍‌, କୃଷି ଉପକରଣ, ନିର୍ମାଣ କାର୍ଯ୍ୟ ଯୋଗାଇ ଦେବା ସହ ପ୍ରାଣୀଚିକିତ୍ସା ଏବଂ ଆନୁସଙ୍ଗିକ ବିଭାଗରୁ ସହାୟତା ଯୋଗାଇ ଦେଉଛି । ଦାନ୍ତେଓ୍ଵାଡ଼ା ପୁଲିସ ଅଧିକାରୀ ଅଭିଷେକ ପଲ୍ଲବ କହିଛନ୍ତି ଯେ, ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରୁ ତିନିଜଣଙ୍କୁ ଧରାଇ ଦେବା ଲାଗି ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷିତ ହୋଇଥିଲା। ସେମାନେ ହେଉଛନ୍ତି, ଜନମିଲିସିଆ କମାଣ୍ଡର୍‌ ଲକ୍ଷ୍ମା ମିଡ଼ିୟାମି, ‘ଡିକେଏଏମ୍‌ଏସ୍‌’ ମାଓବାଦୀଙ୍କ ଅଧ୍ୟକ୍ଷ ଭୀମା ଓରଫ କାମ୍‌ଲୁ କର୍ମା ଏବଂ ଯୋଗୀ ମିଡ଼ିୟାମି ।

Advertisement