ରେଳମନ୍ତ୍ରୀ ପୀୟୂଷ ଗୋୟଲ୍‌: ଭୁବନେଶ୍ୱର ରେଳ ଷ୍ଟେସନ୍‌ ହେବ ‘ମଲ୍‌ଟି ମୋଡାଲ୍‌ ହବ୍‌’

163
ADVERTISEMENT

ଭୁବନେଶ୍ୱର,୦୫/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଭୁବନେଶ୍ୱର ରେଳ ଷ୍ଟେସନ୍‌ର ପୁନର୍ବିକାଶ କାର୍ଯ୍ୟ କରାଯିବ, ପୁରୀ-କୋଣାର୍କ ରେଳପଥ ପାଇଁ ସର୍ଭେ ଶେଷ ହୋଇଛି, ନୂଆପଡ଼ା-ଗୁଣୁପୁର ନୂଆ ଲାଇନ୍‌କୁ ଥେରୁବାଲି ପର୍ଯ୍ୟନ୍ତ ବଢ଼ାଇବା ଲାଗି ୨୦୧୭-୧୮ ବଜେଟ୍‌ରେ ସାମିଲ କରାଯାଇଛି ବୋଲି ଆଜି ରାଜ୍ୟସଭାରେ ରେଳମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ୍‌ କହିଛନ୍ତି। ଏଥିସହ ସେ ସ୍ପଷ୍ଟ କରିଛନ୍ତି ଯେ ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀଠା‌ରେ ରେଳ ୱାଗନ କାରଖାନା ହେବାର କୌଣସି ପ୍ରସ୍ତାବ ନାହିଁ। ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ କହିଛନ୍ତି, ୨୦୧୭ରୁ ପଡ଼ିରହିଥିବା ଭୁବନେଶ୍ୱର ରେଳ ଷ୍ଟେସନ୍‌ ପୁନର୍ବିକାଶ କାର୍ଯ୍ୟ ରେଳବାଇ ଓ ଓଡ଼ିଶା ସରକାର ମିଳିତ ଭାବେ ଗ୍ରହଣ କରିଛନ୍ତି। ରେଳବାଇ ଓ ଓଡ଼ିଶା ସରକାରଙ୍କ ଜମିରେ ସମନ୍ଵିତ ଭାବେ ନୂଆ ଷ୍ଟେସନ୍‌ ବିଲ୍‌ଡିଙ୍ଗ୍‌ ଏବଂ ପ୍ଲାଟ୍‌ଫର୍ମ ସହ ନୂଆ ଲାଇନ୍‌ ନିର୍ମାଣ ଲାଗି ଯୋଜନା କରାଯାଇଛି। ଏଥିନିମନ୍ତେ, ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୂର୍ବତଟ ରେଳବାଇ ମଧ୍ୟରେ ୧୯.୯.୨୦୧୯ରେ ‘ଏମ୍‌ଓୟୁ’ ସ୍ୱାକ୍ଷରିତ ହୋଇଛି। ସ୍ମାର୍ଟ ସିଟି ପାରିପାର୍ଶ୍ୱିକ ବିକାଶ ସହ ଏହି ଷ୍ଟେସନ୍‌କୁ ‘ମଲ୍‌ଟି ମୋଡାଲ୍‌ ହବ୍‌’ କରିବା ନିମନ୍ତେ ନକ୍ସା ପ୍ରସ୍ତୁତି କରିବା ଲାଗି ‘ବିଡିଏ’ ଜଣେ କନ୍‌ସଲ୍‌ଟାଣ୍ଟ୍‌ ନିଯୁକ୍ତ କରିଛନ୍ତି। ସେହିଭଳି, ୨୦୧୫-୧୬ରେ ୩୩ କିଲୋମିଟର୍‌ ଦୀର୍ଘ ପୁରୀ-କୋଣାର୍କ ନୂଆ ଲାଇନ୍‌ର ସର୍ଭେ ସମ୍ପନ୍ନ ହୋଇଛି। ପ୍ରସ୍ତାବିତ ରେଳପଥ ବାଲୁଖଣ୍ଡ-କୋଣାର୍କ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଛି। ଅଭୟାରଣ୍ୟକୁ ଏଡ଼ାଇବା ନିମନ୍ତେ ପୁନର୍ବାର ସର୍ଭେ କରିବାକୁ ନିର୍ଦେଶ ଦିଆଯାଇଛି । ଏହାଛଡ଼ା, ନୂଆପଡ଼ା-ଗୁଣୁପୁର ନୂଆ ଲାଇନ୍‌କୁ ଥେରୁବାଲି ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବ ୨୦୧୭-୧୮ ବଜେଟ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରକଳ୍ପର ‘ଡିଟେଲ୍‌ଡ୍‌ ପ୍ରୋଜେକ୍ଟ୍‌ ରିପୋର୍ଟ’ ପ୍ରସ୍ତୁତ ହୋଇଛି। ଏଥିନିମନ୍ତେ ନିର୍ମାଣ ବ୍ୟୟର ୫୦% ବହନ କରିବା ସହ ମାଗଣାରେ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ, କେବଳ ମାଗଣାରେ ଜମି ଯୋଗାଇ ଦେବାକୁ ଓଡ଼ିଶା ସରକାର ରାଜି ହୋଇଛନ୍ତି। ତେଣୁ, ନିର୍ମାଣ ବ୍ୟୟର ୫୦% ବହନ କରିବାକୁ ପୁଣି ଥରେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଛି। ଏହା ବ୍ୟତିରେକେ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀରେ ରେଳବାଇ ଓ୍ଵାଗନ୍‌ କାରଖାନା ବସାଇବାର କୌଣସି ପ୍ରସ୍ତାବ ନାହିଁ ବୋଲି ଶ୍ରୀ ଗୋୟଲ୍‌ କହିଛନ୍ତି। ଏହି ଓ୍ଵାଗନ୍‌ କାରଖାନା ସ୍ଥାପନ କରିବା ଲାଗି ଜମି ଚିହ୍ନଟ ହୋଇଥିବା କଥା ସାଂସଦ ଡକ୍ଟର ଅମର ପଟ୍ଟନାୟକ ପ୍ରଶ୍ନରେ ଉଲ୍ଲେଖ କରିଥିଲେ।

Advertisement