ନୂଆଦିଲ୍ଲୀ,୦୫/୦୨/୨୧(ଡ଼ି.ଏଚ/ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍କୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଫେବ୍ରୁଆରି ୬ରେ(ଆସନ୍ତାକାଲି) ‘ଚକା ଜାମ୍’ ହେବ ବୋଲି ଘୋଷଣା ହୋଇଥିଲା। ମାତ୍ର ଏଥିରୁ ବାଦ୍ ପଡ଼ିଛି ଜାତୀୟ ରାଜଧାନୀ ଦିଲ୍ଲୀ। ଦିଲ୍ଲୀକୁ ଛାଡ଼ି ଦେଶ ସାରା ଆଉ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ‘ଚକା ଜାମ୍’ ହେବ ବୋଲି ସୂଚନା ରହିଛି। ଏ ନେଇ ଭାରତୀୟ କିଷାନ ୟୁନିୟନ୍(ବିକେୟୁ)ର ଅଧ୍ୟକ୍ଷ ରାକେଶ ଟିକାୟତ ସୂଚନା ଦେଇଛନ୍ତି। ସେ ସମର୍ଥକମାନଙ୍କୁ ନିଜ ନିଜ ଅଞ୍ଚଳରୁ ‘ଚକା ଜାମ୍’ କରିବା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ୍ର ପ୍ରତ୍ୟାହାର ଦାବିରେ କୃଷକ ନେତାମାନେ ଦେଶବ୍ୟାପୀ ‘ଚକା ଜାମ୍’ ଘୋଷଣା କରିଥିଲେ। ସଂଯୁକ୍ତ କିଷାନ ମୋର୍ଚାର ନେତା ବଲବୀର ସିଂହ ରଜେୱାଲ୍ ଏ ନେଇ ସୂଚନା ଦେଇ କହିଥିଲେ କି ଫେବ୍ରୁଆରି ୬ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ହେବ। ମଧ୍ୟାହ୍ନ ୧୨ଟାରୁ ୩ଟା ମଧ୍ୟରେ ସମସ୍ତ ଗାଡ଼ିମଟର ଚଳାଚଳକୁ ବନ୍ଦ କରାଯିବ।




















