ଜମ୍ମୁ,୦୪/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଜମ୍ମୁ ଓ କଶ୍ମୀରର ରଜୌରି ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ବୁଧବାର ଦିନ ପାକିସ୍ତାନୀ ସେନା ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ରଜୌରି ଜିଲ୍ଲାର ସୁନ୍ଦରବନୀ ସେକ୍ଟର୍ରେ ପାକିସ୍ତାନ ସୈନିକମାନେ ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା ଅଞ୍ଚଳରେ ଗୁଳି ବର୍ଷଣ କରିବା ସହ ମୋର୍ଟାର୍ (ଏକ ଜାତୀୟ ହାତ ବୋମା) ନିକ୍ଷେପ କରିଥିଲେ। ଏହି ଘଟଣାରେ ଭାରତୀୟ ସେନାରେ ସିପାହୀ ଥିବା ଲକ୍ଷ୍ମଣ ନାମକ ଜଣେ ଯବାନ ସାଙ୍ଘାତିକ ଆହତ ହୋଇଥିଲେ। ପରେ ଆହତ ଲକ୍ଷ୍ମଣଙ୍କର ଦେହାନ୍ତ ହୋଇଯାଇଛି । ପ୍ରତିରକ୍ଷା ବିଭାଗ ଜାରି କରିଥିବା ଏକ ବିବୃତିରେ ଉଲ୍ଲେଖ ଅଛି, ସିପାହୀ ଲକ୍ଷ୍ମଣ ଥିଲେ ଜଣେ ସାହସୀ, ଉତ୍ସର୍ଗୀକୃତ ଏବଂ ନିଷ୍ଠାପର ସୈନିକ। ତାଙ୍କର ଆତ୍ମବଳି ଏବଂ ନିଷ୍ଠାପର କର୍ତ୍ତବ୍ୟପରାୟଣତା ଯୋଗୁଁ ଦେଶ ଚିରକାଳ ତାଙ୍କ ନିକଟରେ ଋଣୀ ରହିବ। ଗତ କିଛି ବର୍ଷ ହେବ ଜମ୍ମୁ ଓ କଶ୍ମୀରର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନ ନିର୍ବିଚାର ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି। ଏଥିଯୋଗୁଁ ସୀମାନ୍ତବର୍ତ୍ତୀ ଗାଁଗଣ୍ଡାରେ ବାସ କରୁଥିବା ହଜାର ହଜାର ବ୍ୟକ୍ତି ଦୁର୍ଦ୍ଦଶା ଭୋଗୁଛନ୍ତି। ସାଧାରଣ ଜନତାଙ୍କ ଜୀବନ, ସେମାନଙ୍କ ଗୃହପାଳିତ ପଶୁପକ୍ଷୀ, ସମ୍ପତ୍ତି ଓ କୃଷିକ୍ଷେତ୍ର ବିପନ୍ନ ହେଉଛି ।






















