ନୂଆଦିଲ୍ଲୀ,୦୩/୦୨/୨୧ (ଡ଼ି.ଏଚ/ବ୍ୟୁରୋ) : ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ସାଧାରଣତନ୍ତ୍ର ଦିବସ ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକମାନଙ୍କ ଟ୍ରାକ୍ଟର୍ ରାଲି ସମୟରେ ଘଟିଥିବା ହିଂସାକାଣ୍ଡରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏ ସଂକ୍ରାନ୍ତରେ ସରକାରଙ୍କ ଠାରେ ‘ରିପ୍ରେଜେଣ୍ଟେସନ୍’ ଫାଇଲ୍ କରିବା ଲାଗି ଶୀର୍ଷ ଅଦାଲତ ଆବେଦନ କାରୀମାନଙ୍କୁ କହିଛନ୍ତି । ଭାରତର ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡ଼େଙ୍କ ନେତୃତ୍ୱାଧୀନ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ କହିଛନ୍ତି ଯେ, କେନ୍ଦ୍ର ସରକାର ଘଟଣାର ତଦନ୍ତ କରୁଛନ୍ତି । ଆଇନ ଏହାର ନିରପେକ୍ଷ ବିଚାର କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିବା କଥା ଖଣ୍ଡପୀଠ ସ୍ପଷ୍ଟ ଭାବରେ କହିଛନ୍ତି। ସରକାର ଏ ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ନେଉଥିବା ଆମ ପାଖରେ ସୂଚନା ରହିଛି । ଜାନୁଆରି ୨୬ ହିଂସାକାଣ୍ଡ ସଂକ୍ରାନ୍ତରେ ଆଗତ କେତେଗୁଡ଼ିଏ ଆବେଦନର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଦିନ ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ ମାମଲା ରୁଜୁ ବି କରିସାରିଛି । ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଥିବା ନେଇ ଜଣାପଡ଼ିଛି । ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ ସୂଚନା ଦେଇଛି । ଗାଜିପୁର୍, ଟିକ୍ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ମଧ୍ୟ ଭାଙ୍ଗି ଦେଇଥିଲେ । ୨୬ ତାରିଖ ହିଂସାକାଣ୍ଡ ଘଟିବା ପରଠାରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଲାଲ୍କିଲ୍ଲା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲ୍କିଲ୍ଲା ମେଟ୍ରୋ ଷ୍ଟେସନ୍ର ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି।






















