ନୂଆଦିଲ୍ଲୀ,୩୦/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ଜମ୍ମୁ ଓ କଶ୍ମୀରର ପୁଲ୍ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଲେଲ୍ହାର୍ ଅଞ୍ଚଳରେ ଏନ୍କାଉଣ୍ଟର୍ ଯୋଗୁଁ ଆଜି ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ କହିଛି ।
ଗୁଳି ବିନିମୟ ଯୋଗୁଁ ଆହତ ହୋଇଥିବା ଜଣେ ଆତଙ୍କବାଦୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରିଛି। ଦୁଇଟି ଏକେ-୪୭ ରାଇଫଲ୍ ସହ ଏହି ଆତଙ୍କବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।ଆତଙ୍କବାଦୀମାନଙ୍କ ଉପସ୍ଥିତି ସୂଚନା ପାଇ ଶୁକ୍ରବାର ରାତିରେ ପୁଲ୍ଓ୍ଵାମା ଜିଲ୍ଲା କାକପଡ଼ା ଅଞ୍ଚଳର ଲେଲ୍ହାର୍ରେ ନିରାପତ୍ତା ବଳ ଘେରାବନ୍ଦୀ ଓ ତଲାସ ଅଭିଯାନ ଆରମ୍ଭ କରିଥିଲା ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି । ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ତଲାସ ଅଭିଯାନ ଏନ୍କାଉଣ୍ଟର୍ ପାଲଟି ଯାଇଥିଲା। ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିବା କଥା କଶ୍ମୀର ପୁଲିସ ଜୋନ୍ ଟୁଇଟ୍ କରିଛି । ଗୋଟିଏ ରାତି ତକାତକି ହୋଇ ରହିବା ପରେ ଦୁଇଜଣ ଆତଙ୍କବାଦୀ ସେମାନଙ୍କ ଏକେ ରାଇଫଲ୍ ସହ ଆତ୍ମସମର୍ପଣ କରିଥିବା କଥା ସରକାରୀ ଅଧିକାରୀମାନେ କହଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କବାଦୀ ହେଲେ, ଅକୀଲ୍ ଅହମଦ୍ ଲୋନ୍ ଏବଂ ରୌଫ୍ ଉଲ୍ ଇସ୍ଲାମ୍। ଛରା (ଗୁଳିର ଚୂର୍ଣ୍ଣାଂଶ) ବାଜି ଲୋନ୍ର ଡାହାଣ ପାଦରେ କ୍ଷତ ହୋଇଯିବାରୁ ଚିକିତ୍ସା ନିମନ୍ତେ ତାଙ୍କୁ ପୁଲିସ ହସ୍ପିଟାଲ୍କୁ ନିଆଯାଇଛି । କିନ୍ତୁ, ସେମାନେ କେଉଁ ଆତଙ୍କବାଦୀ ସଙ୍ଗଠନର, ତାହା ହଠାତ୍ ଜଣାପଡ଼ି ନାହିଁ । ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ପୁଲ୍ଓ୍ଵାମାର ଅବନ୍ତୀପଡ଼ା ଅଞ୍ଚଳରେ ମଧ୍ୟ ଏନ୍କାଉଣ୍ଟର୍ ଘଟଣାରେ ତିନିଜଣ ହିଜ୍ବୁଲ୍ ମୁଜାହିଦୀନ୍ ଆତଙ୍କବାଦୀ ନିହତ ହୋଇଥିଲେ ।






















