ବଜେଟ୍‌ ଅଧିବେଶନ ଲାଗି ରାଷ୍ଟ୍ରପତି ଘୋଡ଼ାଗାଡ଼ିରେ ସଂସଦକୁ ଆସିବେ

201
ADVERTISEMENT

ନୂଆଦିଲ୍ଲୀ,୨୯/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ବଜେଟ୍‌ ଅଧିବେଶନର ଉଦ୍‌ଘାଟନୀ ଦିବସରେ ସଂସଦର ଉଭୟ ଗୃହରେ ଉଦ୍‌ବୋଧନ ଦେବା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିନ ପ୍ରାୟ ୧୧ଟା ବେଳେ ଏକ ଘୋଡ଼ାଗାଡ଼ିରେ ଆସି ସଂସଦ ପରିସରେ ପହଞ୍ଚିବେ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ରାଷ୍ଟ୍ରପତିଙ୍କର ଏହି ଘୋଡ଼ାଗାଡ଼ିଟିକୁ ଦେଶ ସ୍ୱାଧୀନ ହେବା ସମୟରେ ବ୍ରିଟିସ୍‌-ଇଣ୍ଡିଆର ଭାଇସ୍‌ରୟ ଭାରତକୁ ପ୍ରଦାନ କରିଥିଲେ। ୧୯୮୪ ଠାରୁ ଏହା ପ୍ରାୟ ବ୍ୟବହୃତ ହେଉ ନ ଥିଲା। ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହେବା ପରେ ଏହି ଘୋଡ଼ାଗାଡ଼ିର ବ୍ୟବହାର ଆରମ୍ଭ କରିଥିଲେ। ସୁନା କଲେଇ କରାଯାଇଥିବା ଏହି ଘୋଡ଼ାଗାଡ଼ିଟିକୁ ପୂର୍ବରୁ ରାଷ୍ଟ୍ରପତି ଉତ୍ସବାନୁଷ୍ଠାନ ଦିନମାନଙ୍କରେ ଓ ୩୨୦ ଏକରବିଶିଷ୍ଟ ରାଷ୍ଟ୍ରପତି ଭବନ ପରିସରରେ ବୁଲାବୁଲି କରିବା ଲାଗି ବ୍ୟବହାର କରୁଥିଲେ। କିନ୍ତୁ, ନିରାପତ୍ତା ଦୃଷ୍ଟିରୁ ମାତ୍ର ଅଳ୍ପ କେତୋଟି ଉତ୍ସବାନୁଷ୍ଠାନରେ ଏହାକୁ ବ୍ୟବହାର କରାଯାଇଛି।
ନିରାପତ୍ତା ଦୃଷ୍ଟିରୁ ନର୍ଥ ବ୍ଲକ୍‌ ଓ ସାଉଥ୍‌ ବ୍ଲକ୍‌ର କର୍ମଚାରୀମାନେ ଶୁକ୍ରବାର ସକାଳେ ରାଜପଥ ଓ ବିଜୟ ଚୌକ୍‌ ରାସ୍ତା ପରିବର୍ତ୍ତେ ପଛ ଫାଟକ ଦେଇ ସେମାନଙ୍କ ଅଫିସ୍‌ରେ ପହଞ୍ଚିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ କର୍ମଚାରୀମାନଙ୍କୁ କହିଛି। ସଂସଦ ଭବନ ନିକଟରେ ଥିବା ଏହି ଦୁଇଟି ବ୍ଲକ୍‌ରେ ପ୍ରମୁଖ ସରକାରୀ ମନ୍ତ୍ରାଳୟ ସବୁ ରହିଛି। ଆଜି ସକାଳୁ ରାଇସିନା ହିଲ୍‌ରୁ ରାଜପଥ ସନ୍ନିକଟ ରାସ୍ତା ଅଞ୍ଚଳ ଏବଂ ସେଠାରେ ଚିହ୍ନିତ ହୋଇଥିବା ପାର୍କିଙ୍ଗ୍‌ସ୍ଥଳରେ କୌଣସି ଯାନବାହନ ରଖାଯିବାକୁ ଅନୁମତି ଦିଆଯାଉ ନାହିଁ। ରାଷ୍ଟ୍ରପତି ରାଷ୍ଟ୍ରପତି ଭବନକୁ ଫେରିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।

Advertisement