ନୂଆଦିଲ୍ଲୀ,୨୬/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ୨୨୩ ଫିଲ୍ଡ୍ ରେଜିମେଣ୍ଟ୍ର ‘ସେରିମନିଆଲ୍ ବ୍ୟାଟେରି’ ୨୧ଟି ତୋପ ସଲାମୀ ଦେଇଥିଲେ। ଏହାପରେ ପରେଡ୍ କମାଣ୍ଡର୍ ଭାବେ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ବିଜୟ କୁମାର ମିଶ୍ର ନେତୃତ୍ୱରେ ଆରମ୍ଭ ହୋଇଥିଲା ପରେଡ୍। ପ୍ରଥମେ ପରମବୀର ଚକ୍ର ଏବଂ ଅଶୋକ ଚକ୍ର ପରେଡ୍ ଆରମ୍ଭ ହୋଇଥିଲା। ପରେ ପରେ ଭାରତୀୟ ସେନାର ମୁଖ୍ୟ ଯୁଦ୍ଧ କମାଣ ଟି-୯୦ ଭୀଷ୍ମ, ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର, ସିଲ୍କା ଉଇପନ୍ ସିଷ୍ଟମ୍ ଅଭିବାଦନ ଡାଏସ୍ ସମ୍ମୁଖ ଦେଇ ଅତିକ୍ରମ କରିଥିଲା। ସେହିଭଳି, ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ଅବୁ ମହମ୍ମଦ ଶାହନୂର ଶାଓ୍ଵନ୍ଙ୍କ ନେତୃତ୍ୱରେ ବାଂଲାଦେଶର ସେନାର ଏକ ଦଳ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଂଶ ଗ୍ରହଣ ମାର୍ଚପାଷ୍ଟ୍ କରିଥିଲେ। ଜମ୍ମୁ ଓ କଶ୍ମୀରର ରାଇଫଲ୍ ରେଜିମେଣ୍ଟ୍ ପରେଡ୍ କରିଥିଲେ। ନୌସେନା ବ୍ରାସ୍ ବ୍ୟାଣ୍ଡ୍ ‘ଜୟ ଭାରତୀ’ ସୁରରେ ବାଦ୍ୟ ପରିବେଶଣ କରି ଅଭିବାଦନ ଡାଏସ୍ ଅତିକ୍ରମ କରିଥିଲେ। ସ୍ୱର୍ଣ୍ଣିମ ବିଜୟ ବର୍ଷ ପ୍ରଜ୍ଞାପନ ମେଢ଼ରେ ଭାରତୀୟ ନୌସେନାର କରାଚି ବନ୍ଦର ଆକ୍ରମଣ ଦୃଶ୍ୟ ପ୍ରଦର୍ଶୀତ ହୋଇଥିଲା। ବାୟୁସେନା ‘ସାଉଣ୍ଡ୍ ବ୍ୟାରିଅର୍ କୁଇକ୍ ମାର୍ଚ’ ସୁରରେ ବାଦ୍ୟ ପରିବେଶଣ କରିଥିଲେ। ଏଥିରେ ୩ଜଣ ଡ୍ରମ୍ ମେଜର୍ ଏବଂ ୭୨ଜଣ ସଙ୍ଗୀତଜ୍ଞ ଅଂଶ ଗ୍ରହଣ କରିଥିଲେ। ସିଆର୍ପିଏଫ୍ ବାଦ୍ୟ ବଜାଇ ଥିଲେ ‘ଦେଶ୍ କେ ହମ୍ ହେ ରକ୍ଷକ୍’ ସ୍ୱରରେ। ବିଏସ୍ଏଫ୍ ‘ହମ୍ ହୈ ସୀମା ସୁରକ୍ଷା ବଲ୍’ ସ୍ୱରରେ ବାଦ୍ୟ ସଙ୍ଗୀତ ପରିବେଶଣ କରିଥିଲେ। ବାୟୁସେନାର ପ୍ରଜ୍ଞାପନ ମେଢ଼ରେ ପ୍ରଥମ ମହିଳା ପାଇଲଟ୍ ଭାବେ ଭାଗ ନେଇଥିଲେ ଫ୍ଲାଇଟ୍ ପାଇଲଟ୍ ଲେଫ୍ଟ୍ନାଣ୍ଟ୍ ଭାବନା କାନ୍ତ । ଏଥର ପ୍ରଥମ କରି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ତା’ର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିଛି।ଏଥିରେ ଲଦାଖର ସଂସ୍କୃତି ଏବଂ ସାମ୍ପ୍ରଦାୟିକ ସହାବସ୍ଥାନ ସହ କଳା ଓ ସ୍ଥାପତ୍ୟ, ଭାଷା ଓ କଥିତ ଭାଷା, ପ୍ରଥା ଏବଂ ପରମ୍ପରା, ମେଳ ଓ ଉତ୍ସବ, ସାହିତ୍ୟ ଓ ସଙ୍ଗୀତ ଆଦି ପ୍ରଦର୍ଶୀତ ହୋଇଥିଲା। ଗୁଜରାଟର ପ୍ରଜ୍ଞାପନ ମେଢ଼ରେ ଥିଲା ମୋଧେରା ସୂର୍ଯ୍ୟ ମନ୍ଦିରର ପ୍ରତିକୃତି। ଉତ୍ତର ପ୍ରଦେଶ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶୀତ ହୋଇଥିଲା ପ୍ରସ୍ତାବିତ ରାମ ମନ୍ଦିରର ପ୍ରତିକୃତି । ସେହିଭଳି ବାୟୋଟେକ୍ନୋଲୋଜି ବିଭାଗର ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶୀତ ହୋଇଥିଲା କୋଭିଡ୍-୧୯ ଟିକାକରଣ ପ୍ରକ୍ରିୟା। ଛାତ୍ରଛାତ୍ରୀଙ୍କଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବା ପରେ ଆରମ୍ଭ ହୋଇଥିଲା ବାୟୁସେନାର ପରାକ୍ରମ ପ୍ରଦର୍ଶନ। ଡାକୋଟା ବିମାନକୁ ଦୁଇଟି ଏମ୍ଆଇ-୧୭ ଆଇଭି ହେଲିକପ୍ଟର୍ ବେଢ଼ି ପ୍ରଦର୍ଶନ କରଥିଲେ ‘ରୁଦ୍ର’। ସେହିଭଳି, ଦୁଇଟି ଜାଗୁଆର୍ ଏବଂ ୨ଟି ମିଗ୍ ଲଢୁଆ ବିମାନ ସହ ଗୋଟିଏ ରାଫେଲ୍ ମିଶି ୩୦୦ ମିଟର ଊର୍ଦ୍ଧ୍ୱରେ ଘଣ୍ଟାପ୍ରତି ୭୮୦ କିଲୋମିଟର ବେଗରେ ପ୍ରଦର୍ଶନ କରିଥିଲେ ‘ଏକଲବ୍ୟ’। ସୁ-୩୦ଏମ୍ଆଇ ପ୍ରଦର୍ଶନ କରିଥିଲା ‘ତ୍ରିନେତ୍ର’। ଶେଷରେ ଏକ ରାଫେଲ୍ ଲଢୁଆ ବିମାନ ଫ୍ଲାଇପାଷ୍ଟ୍ କରିବା ପରେ ସାଧାରଣତନ୍ତ୍ର ଦିବସ ସାଙ୍ଗ ହୋଇଥିଲା।






















