ନୂଆଦିଲ୍ଲୀ,୧୪/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ବିବାଦୀୟ କୃଷି ଆଇନ ଏବଂ ଏହାକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ କୃଷି ଆଇନ ଉପରେ ସୁପ୍ରିମ କୋର୍ଟ ରୋକ୍ ଲଗାଇବା ସହିତ ଚାଷୀମାନଙ୍କ ସହିତ ଆଲୋଚନା ପାଇଁ ଏକ କମିଟି ଗଠନ କରିଥିଲେ। ହେଲେ ଏବେ ଗଠିତ ହୋଇଥିବା ୪ଜଣିଆ କମିଟି ସଦସ୍ୟଙ୍କ ମଧ୍ୟରୁ ଜଣେ ନିଜକୁ କମିଟିରୁ ବାହାର କରିଛନ୍ତି। ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ଭାରତୀୟ କିଷାନ ୟୁନିୟନ(ବିକେୟୁ) ସଭାପତି ଭୂପିନ୍ଦର ସିଂହ ମାନ। ଏନେଇ ବିକେୟୁ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବତନ ସାଂସଦ ତଥା ବିକେୟୁର ଜାତୀୟ ସଭାପତି ତଥା ଅଲ ଇଣ୍ଡିଆ କିଷାନ ସମନ୍ୱୟ କମିଟିର ସଭାପତି ଭୂପିନ୍ଦର ସିଂହ ମାନ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଚାରିଜଣିଆ କମିଟିରୁ ନିଜକୁ ବାହାର କରିଛନ୍ତି ବୋଲି କହିଛି ବିକେୟୁ। ଏହା ସହ ଏକ ବିବୃତିକୁ ଟୁଇଟ କରି ବିବୃତିଟି ଭୂପିନ୍ଦରଙ୍କର ବୋଲି ବିକେୟୁ ଦାବି କରିଛି ।ଇଟ କରାଯାଇଥିବା ବିବୃତିରେ ଲେଖାଯାଇଛି ଯେ, କେନ୍ଦ୍ର ସରକାର ଆଣିଥିବା ତିନୋଟି ଆଇନ ଉପରେ କିଷାନ ୟୁନିଅନ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ମୋତେ ଚାରିଜଣିଆ କମିଟି ପାଇଁ ମନୋନିତ କରିଥିବାରୁ ମୁଁ କୃତଜ୍ଞ। ହେଲେ ଜଣେ କୃଷକ ଏବଂ ଏକ କିଷାନ ୟୁନିୟନର ମୁଖ୍ୟ ଭାବେ ମୁଁ ଏହି ଦାୟିତ୍ବ ନେଇପାରିବି ନାହିଁ। ମୁଁ କୃଷକଙ୍କ ଦାବିକୁ ସମର୍ଥନ କରି ନିଜକୁ ଚାରିଜଣିଆ କମିଟିରୁ ବାହାର କରୁଛି ଏବଂ ମୁଁ ସବୁବେଳେ ମୋର କୃଷକ ଭାଇ ଏବଂ ପଞ୍ଜାବ ସହିତ ଛିଡା ହେବି।




















