ନୂଆଦିଲ୍ଲୀ,୧୧/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କର ତୀବ୍ର ପ୍ରତିବାଦ ଚାଲିଥିବା ବେଳେ ଆଜି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ତିନୋଟି ବିବାଦୀୟ କୃଷି ଆଇନ କାର୍ଯ୍ୟକାରୀ ପ୍ରକ୍ରିୟା ବନ୍ଦ ରଖାଯାଉ। ଯଦି କେନ୍ଦ୍ର ସରକାର ଏହାକୁ ସ୍ଥଗିତ ନ ରଖନ୍ତି ତେବେ ଆମେ ସ୍ଥଗିତ ରଖିବୁ ବୋଲି କଡ଼ା ମନ୍ତବ୍ୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ କେନ୍ଦ୍ର ସରକାର ଯେଉଁଭଳି ଭାବରେ କୃଷକ ଆନ୍ଦୋଳନ ପ୍ରସଙ୍ଗକୁ ପରିଚାଳନା କରୁଛନ୍ତି ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।
କୃଷକ ଆନ୍ଦୋଳନ ସଂକ୍ରାନ୍ତରେ ଆଗତ ପିଟିସନ୍ଗୁଡ଼ିକର ଶୁଣାଣି କରିବା ସମୟରେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି, ‘‘କୁହନ୍ତୁ, ଆପଣ ଏହି ଆଇନ ସବୁକୁ ସ୍ଥଗିତ ରଖିବେ ନା, ଆମେ ସ୍ଥଗିତ କରାଇବୁ? ଏ କ୍ଷେତ୍ରରେ କେଉଁ ଆତ୍ମସମ୍ମାନର କଥା ରହିଛି?’’ ଏଥିସହ ସିଙ୍ଘୁ ସୀମାରେ ଧାରଣାରେ ବସିଥବା କୃଷକମାନଙ୍କ କଥା ଉଠାଇ ପ୍ରଧାନ ବିଚାରପତି କହିଥିଲେ, ‘‘ସେଠାରେ ପରିସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି। ଲୋକମାନେ ଥଣ୍ଡାରେ ପଡ଼ିରହିଛନ୍ତି, ଆତ୍ମହତ୍ୟା କରୁଛନ୍ତି। କିଏ ସେମାନଙ୍କ ଖାଦ୍ୟ ପାନୀୟ କଥା ବୁଝୁଛି ? ସେଠାରେ ସାମାଜିକ ଦୂରତ୍ବ ବଜାୟ ରହିଛି ? କୃଷକମାନେ କାହିଁକି ବୃଦ୍ଧ, ମହିଳା ଓ ଶିଶୁଙ୍କୁ ଧାରଣାସ୍ଥଳକୁ ଆଣୁଛନ୍ତି ? ଯଦି କିଛି ଅଘଟଣ ଘଟେ ତେବେ ସମସ୍ତେ ଦାୟୀ ରହିବା।’’




















