ସୁପ୍ରିମ୍‌ କୋର୍ଟ : ସୋମବାର ଦିନ ନୂଆ କୃଷି ଆଇନ ବିପକ୍ଷରେ ଆଗତ ଆବେଦନର ଶୁଣାଣି

182
ADVERTISEMENT

ନୂଆଦିଲ୍ଲୀ,୦୬/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଚାଲିଥିବା କୃଷକ ଆନ୍ଦୋଳନ ସଂକ୍ରାନ୍ତରେ ଉଦ୍‌ବେଗ ପ୍ରକାଶ କରିବା ସହ ନୂଆ କୃଷି ଆଇନକୁ ଚାଲେଞ୍ଚ୍‌ କରି ଆଗତ ସମସ୍ତ ଆବେଦନର ଶୁଣାଣି ଜାନୁଆରି ୧୧ ତାରିଖ (ସୋମବାର) ଦିନ କରିବେ ବୋଲି ବୁଧବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି । କୃଷକମାନଙ୍କର ପ୍ରତିବାଦ ସମ୍ବନ୍ଧୀୟ ପରିସ୍ଥିତିରେ ଆଦୌ କୌଣସି ଉନ୍ନତି ହୋଇ ନ ଥିବା ଲକ୍ଷ୍ୟ କରି ସୁପ୍ରିମ୍‌ କୋର୍ଟ କହିଲେ ଯେ, କୃଷି ଆଇନକୁ ଚାଲେଞ୍ଚ୍‌ କରି ଆଗତ ପିଟିସନ୍‌ଗୁଡ଼ିକର ସୋମବାର ଦିନ ଶୁଣାଣି ହେବ। କେନ୍ଦ୍ର ସରକାରଙ୍କ ସହ ସପ୍ତମ ପର୍ଯ୍ୟାୟ ଆଲୋଚନା ଅମୀମାଂସିତ ରହିବା ଫଳରେ ଅଚଳାବସ୍ଥା ଜାରି ରହିଛି। ତିନୋଟି ନୂଆ ଆଇନକୁ ଉଚ୍ଛେଦ କରିବାକୁ ସରକାରଙ୍କୁ କହି କୃଷକମାନେ ଅଡ଼ି ବସିଥିବା ବେଳେ ସରକାର ସେମାନଙ୍କୁ ଏହି ନୂଆ ଆଇନର ଲାଭ କଥା ଦର୍ଶାଉଛନ୍ତି। ଜାନୁଆରି ୮ ତାରିଖ ଦିନ କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ଆଲୋଚନା ଲାଗି ପରବର୍ତ୍ତୀ ବୈଠକ ବସିବ । ନଭେମ୍ବର ୨୮ ତାରିଖରୁ ଦିଲ୍ଲୀ ସୀମାନ୍ତର ବିଭିନ୍ନ ସ୍ଥାନରେ ପଞ୍ଜାବ ଓ ହରିୟାଣା ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳର ହଜାର ହଜାର କୃଷକ ଡେରା ପକାଇଛନ୍ତି। ନୂଆ କୃଷି ଆଇନକୁ ଉଠାଇ ଦେବା ସହ ସର୍ବନିମ୍ନ ସହାୟକ ମୂଲ୍ୟର ଏକ ବୈଧ୍ୟତାମୂଳକ ଗ୍ୟାରେଣ୍ଟି ଏବଂ ଅନ୍ୟ ଦୁଇଟି କଥାକୁ ନେଇ ସେମାନେ ଅଡ଼ି ବସିଛନ୍ତି।

Advertisement