ଜମ୍ମୁ,୨୭/୧୨(ଡ଼ି.ଏଚ/ବ୍ୟୁରୋ) : ବାଲାକୋଟ୍ରୁ ଜମ୍ମୁ ଓ କଶ୍ମୀର ଗଜନବି ଫୋର୍ସର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ମେନ୍ଧର ଅଞ୍ଚଳରୁ ଏକ ଆତଙ୍କବାଦୀ ସଂଗଠନ ଠାବ କରାଯାଇଥିବା କଥା ରବିବାର ଦିନ ନିରାପତ୍ତା ବଳ କହିଛି। ଗ୍ରେନେଡ୍ଦ୍ୱାରା ଅରି ଅଞ୍ଚଳରେ ଏକ ମନ୍ଦିରରେ ଆକ୍ରମଣ କରିବାକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିଥିବା କଥା ନିରାପତ୍ତା ବଳ ଦାବି କରିଛି। ପୁଞ୍ଚର ବରିଷ୍ଠ ପୁଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ରମେଶ କୁମାର ଅଙ୍ଗ୍ରାଲ୍ କହିଛନ୍ତି, ଶନିବାର ରାତି ପ୍ରାୟ ୮ଟା ବେଳେ ବାସୁନି ନିକଟରୁ ମେନ୍ଧର ସ୍ପେସାଲ୍ ଅପରେସନ୍ ଗ୍ରୁପ୍ ଏବଂ ୪୯ ରାଷ୍ଟ୍ରୀୟ ରାଇଫଲ୍ ମୁସ୍ତାଫା ଇକ୍ବାଲ୍ ଏବଂ ମୁର୍ତାଜ୍ ଇକ୍ବାଲ୍ ନାମକ ଦୁଇଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଥିଲେ। ଦୁହେଁ ପୁଞ୍ଚ୍ ଜିଲ୍ଲାର ଗୁରସାଇ ଅଞ୍ଚଳ ଅନ୍ତର୍ଗତ କେରି ଗଲହୁତାବାସୀ ମହମଦ୍ ୟସୀନ୍ଙ୍କ ପୁଅ। ଦୁଇ ସନ୍ଦିଗ୍ଧଙ୍କୁ ବାସୁନିସ୍ଥିତ ୪୯ ଆର୍ ଆର୍ ବାଟାଲିୟନ୍ ମୁଖ୍ୟାଳୟରେ ପଚରା ଉଚୁରା କରାଯାଇଥିଲା। ପଚରା ଉଚୁରା ସମୟରେ ମୁସ୍ତାଫା ଇକ୍ବଲଙ୍କ ଫୋନ୍ରୁ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ନମ୍ବର ମିଳିଥିଲା। ମୁସ୍ତାଫା ଉକ୍ତ ବ୍ୟକ୍ତିଙ୍କ ସହ ସନ୍ଦେହଜନକ ବାର୍ତ୍ତାଳାପ କରିଥିଲେ।




















