ବାଜପେୟୀ ଜୟନ୍ତୀ: ୯ କୋଟି ଚାଷୀଙ୍କୁ ୧୮,୦୦୦ କୋଟି

147
ADVERTISEMENT

ନୂଆଦିଲ୍ଲୀ,୨୬/୧୨(ଡ଼ି.ଏଚ/ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନା ଅଧୀନରେ ୯ କୋଟି ହିତାଧିକାରୀ ଚାଷୀ ପରିବାରକୁ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପିଏମ୍‌-କିଷାନ୍‌ ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ମିଳୁଛି। ୩ଟି କିସ୍ତିରେ ଏହି ଟଙ୍କା କୃଷକଙ୍କ ଆକାଉଣ୍ଟ୍‌ରେ ସିଧାସଳଖ ଜମା କରାଯାଉଛି। କୃଷି ଆଇନକୁ ବିରୋଧ କରି ଚାଷୀମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ୭ ରାଜ୍ୟର କୃଷକମାନଙ୍କ ସହ ଭିଡିଓ କନଫରେନ୍ସିଂ ଦ୍ବାରା କଥା ହୋଇଛନ୍ତି। ଦେଶବ୍ୟାପୀ ୨୫୦୦ ବୈଠକ ଦ୍ବାରା କୃଷକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସଂପୃକ୍ତ କରାଯାଇଥିଲା। ଅନେକ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଜେପି ପଦାଧିକାରୀ ଆଜି ସେମାନଙ୍କ ନିର୍ବାଚନମଣ୍ଡଳୀରୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ବିଜେପି ବାଜପେୟୀଙ୍କ ଜୟନ୍ତୀ ଉତ୍ସବକୁ ସୁଶାସନ ଦିବସ ଭାବେ ପାଳନ କରୁଛି। ଏହି ଅବସରରେ କୃଷକମାନଙ୍କୁ କୃଷକ ସମ୍ମାନ ନିଧି ଯୋଜନା ଅଧୀନରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ନୀତିନ ଗଡ଼କରୀ, ପୀୟୂଷ ଗୋୟଲ, ସ୍ମୃତି ଇରାନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Advertisement