
ନୂଆଦିଲ୍ଲୀ,୨୪/୧୨(ଡ଼ି.ଏଚ/ବ୍ୟୁରୋ) : ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଯାତ୍ରୀଙ୍କଠାରେ ବ୍ରିଟେନ୍ ଗୁଣସୂତ୍ର ବିବର୍ତ୍ତିତ ଆଉ ଏକ ପ୍ରକାରର କରୋନାଭାଇରସ୍ ଚିହ୍ନଟ କରିଥିବା କଥା ବୁଧବାର ଦିନ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହ୍ୟାଙ୍ଗ୍କକ୍ କହିଛନ୍ତି । ଗୁଣସୂତ୍ର ପରିବର୍ତ୍ତିତ ଏକ ନୂଆ ପ୍ରକାରର ଭୂତାଣୁ ଚିହ୍ନଟ ହୋଇଛି ବୋଲି ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବିଭାଗ ଗତ ସପ୍ତାହରେ କହିଥିଲା। ଏହି ନୂତନ ପ୍ରଜାତିର ଭୂତାଣୁ ଯୋଗୁଁ ଏବେ ସେଠାରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଥିବା କୁହାଯାଉଛି। ଗଣମାଧ୍ୟମକୁ ହ୍ୟାଙ୍ଗ୍କକ୍ କହିଛନ୍ତି, ଦକ୍ଷିଣ ଆଫ୍ରିକୀୟମାନଙ୍କ ଗୁଣସୂତ୍ର ଚିହ୍ନଟ କରିବା ସାମର୍ଥ୍ୟକୁ ଧନ୍ୟବାଦ। ଇଂଲଣ୍ଡରୁ ଆମେ ସେହି ପ୍ରକାରର ଦୁଇଟି ନୂତନ କରୋନା ଭାଇରସ୍ ସଂକ୍ରମଣ ମାମଲା ଚିହ୍ନଟ କରିଛୁ। ଉଭୟ ସଂକ୍ରମଣ ସଂସ୍ପର୍ଶଜନିତ ମାମଲା। ଉଭୟ ବ୍ୟକ୍ତି ଗତ କେତେ ସପ୍ତାହ ତଳେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ଗତ ଦୁଇ ସପ୍ତାହ ହେବ ଯେଉଁମାନେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ ସେମାନଙ୍କୁ କ୍ୱାରେଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ତୁରନ୍ତ କଟକଣା ଜାରି କରାଯାଇଛି।





















