କେନ୍ଦ୍ର କୃଷିମନ୍ତ୍ରୀ : କୃଷକ ଆନ୍ଦୋଳନ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

198
ADVERTISEMENT

ନୂଆଦିଲ୍ଲୀ,୧୧/୧୨(ଡ଼ି.ଏଚ/ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପହଞ୍ଚିବ। କୃଷି ଆଇନ ପ୍ରତ୍ୟାହାର ପାଇଁ କୃଷକ ସଂଗଠନମାନେ ଜିଦ୍‌ରେ ଅଟଳ ରହିଛନ୍ତି ଏବଂ କେନ୍ଦ୍ର ସରକାର ଆଇନରେ ସଂଶୋଧନ ପାଇଁ ଦେଇଥିବା କୌଣସି ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ତେବେ ଚାଷୀ ନେତାମାନେ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରନ୍ତୁ ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆହ୍ବାନ ଜଣାଇଛନ୍ତି। ସରକାର ଚାଷୀଙ୍କ ସହ ଖୋଲା ମନରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ତୋମର କହିଛନ୍ତି। ୨୦୦୬ରେ ଆସିଥିବା ସ୍ବାମୀନାଥନ୍‌ କମିସନ ରିପୋର୍ଟ ନେଇ ସମଗ୍ର ଦେଶ ଅବଗତ ଅଛି। ଉତ୍ପାଦନ ଓ ବ୍ୟୟ ଆଧାରରେ ଏମ୍‌ଏସ୍‌ପି ଧାର୍ଯ୍ୟ କରିବାକୁ ସ୍ବାମୀନାଥନ୍‌ କମିସନ ଯେଉଁ ସୁପାରିସ କରିଥିଲେ ମୋଦୀ ସରକାର ଏହାକୁ କାର୍ଯ୍ୟକାରୀ କରିବେ। ଏମ୍‌ଏସ୍‌ପି ପ୍ରତ୍ୟାହାର ହେବାର ପ୍ରଶ୍ନ ଉଠୁନାହିଁ କିମ୍ବା ଏମ୍‌ଏସ୍‌ପି ବ୍ୟବସ୍ଥା କୌଣସି ସ୍ଥିତିରେ ବ୍ୟାହତ ହେବାର ପ୍ରଶ୍ନ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ‌ତୋମର ସ୍ପଷ୍ଟ କରିଛନ୍ତି। ସେହିଭଳି କଣ୍ଟ୍ରାକ୍ଟ ଫାର୍ମିଂ ନେଇ କୌଣସି ବାଧ୍ୟବାଧକତା ନାହିଁ। ଚାଷୀଙ୍କ ଜମି ଉପରେ ଶିଳ୍ପପତି ମାଲିକାନା ସାବ୍ୟସ୍ତ କରିବେ ବୋଲି ଯେଉଁ ପ୍ରଚାର ହେଉଛି, ସେଥିରେ କୌଣସି ସତ୍ୟତା ନାହିଁ ଏବଂ ଏହା କେବଳ ବିଭ୍ରାନ୍ତି ସୃଷ୍ଟି ଉଦ୍ଦେଶ୍ୟରେ କରାଯାଉଛି ବୋଲି କୃଷିମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। ସରକାର ଆଇନରେ ସଂଶୋଧନ ପାଇଁ ପ୍ରସ୍ତୁତ ଅଛନ୍ତି। ମଣ୍ଡି ଆଇନ ଉଚ୍ଛେଦ ହେବ ନାହିଁ ଏବଂ ଏମ୍‌ଏସ୍‌ପି ଉଠିବ ନାହିଁ ବୋଲି ସରକାର ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଏମ୍‌ଏସ୍‌ପି ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ଚାଷୀମାନେ ଆଲୋଚନା ପାଇଁ ଆସନ୍ତୁ ବୋଲି କୃଷିମନ୍ତ୍ରୀ ନିବେଦନ କରିଛନ୍ତି। ଅପରପକ୍ଷେ, ଚାଷୀ ନିଜର ଉତ୍ପାଦନକୁ ମଣ୍ଡି ବାହାରେ ଘରୋଇ ବଜାରରେ ବିକ୍ରି କରିବାକୁ ଏକ ପ୍ରକାର ବାଧ୍ୟ ହେବେ ବୋଲି ଯେଉଁ ପ୍ରଚାର ହେଉଛି, ତାହା ଭିତ୍ତିହୀନ ଏବଂ ଏହାର କୌଣସି ଆଧାର ନାହିଁ ବୋଲି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ୍‌ କହିଛନ୍ତି।

Advertisement