ନୂଆଦିଲ୍ଲୀ,୯/୧୨(ଡ଼ି.ଏଚ/ବ୍ୟୁରୋ) : ଦେଶରରେ କୃଷି ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଥିବା ବେଳେ ଗତକାଲି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କୃଷକ ନେତାଙ୍କ ଆଲୋଚନା ଅନୁସାରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିବାଦୀୟ କୃଷି ଆଇନରେ ସଂଶୋଧନ ପାଇଁ ପାଞ୍ଚଟି ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ବୁଧବାର କୃଷକମାନଙ୍କୁ ଏହି ପ୍ରସ୍ତାବ ପଠାଯାଇଛି। ସେମାନେ ଏହା ଉପରେ ବିଚାରବିମର୍ଶ କରି ନିଷ୍ପତ୍ତି ନେବେ। ସରକାରଙ୍କ ଦ୍ୱାରା ପଠାଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସିଙ୍ଗୁ ସୀମାରେ କୃଷକ ସଂଗଠନଗୁଡ଼ିକର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ପକ୍ଷରେ ଏହି ପ୍ରସଙ୍ଗରେ ବିରୋଧି ଦଳର ନେତାମାନେ ରାଷ୍ଟ୍ରପତିଙ୍କୁ ଆଜି ଅପରାହ୍ଣ ୫ଟାରେ ଭେଟିବାକୁ ଯାଉଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ପାଞ୍ଚଟି ପ୍ରସ୍ତାବ କୃଷକଙ୍କୁ ଦିଆଯାଇଛି । ୧. ଏମ୍ଏସ୍ପିରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ୨. ଏପିଏମ୍ସି ଆହୁରୁ ସୁଦୃଢ଼ ହେବ । ୩. ଶସ୍ୟ କିଣୁଥିବା ଘରୋଇ କମ୍ପାନିଗୁଡ଼ିକ ପ୍ରଥମେ ନିଜକୁ ପଞ୍ଜିକୃତ କରିବେ । ୪. ଚୁକ୍ତିଭିତ୍ତିକ ଚାଷରେ କୃଷକମାନଙ୍କୁ କୋର୍ଟ ଯିବାକୁ ଅନୁମତି ଦିଆଯିବ। ଚୁକ୍ତିଭିତ୍ତିକ ଚାଷ ବିବାଦର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ । ୫. ଘରୋଇ କମ୍ପାନିଗୁଡ଼ିକ ଉପରେ ଟିକସ୍ ଲାଗୁ ହେବ।
କୃଷି ଆଇନକୁ ବିରୋଧ କରି ଆଜିକୁ ୧୪ ଦିନ ହେବ କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ଓ କୃଷକ ନେତାମାନଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ସରକାର କୃଷି ଆଇନ ଉଚ୍ଛେନ ସପକ୍ଷରେ ନ ଥିବା ସ୍ପଷ୍ଟ କରିବା ସହ ଆଇନରେ ସଂଶୋଧନ ଲାଗି ଲିଖିତ ପ୍ରସ୍ତାବ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।



















