ରହସ୍ୟଜନକ ରୋଗ: ଆନ୍ଧ୍ରପ୍ରଦେଶରେ ୨୦୦ରୁ ଊର୍ଦ୍ଧ୍ବ ହସ୍ପିଟାଲରେ ଆକ୍ରାନ୍ତ

181
ADVERTISEMENT

ଭୁବନେଶ୍ବର,୦୭/୧୨(ଡ଼ି.ଏଚ/ବ୍ୟୁରୋ) : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏକ ରହସ୍ୟଜନକ ରୋଗ ଆତଙ୍କ ଖେଲିଯାଇଛି । ଏହି ଅଜଣା ରୋଗ‌ର ଶିକାର ହୋଇ ୨୨୮ ଲୋକ ହସ୍ପିଟାଲରେ ଭର୍ତ୍ତି ହେଲେଣି। ପଶ୍ଚିମ ଗୋଦାବରୀ ଜିଲ୍ଲାର ଏଲୁରୁ ସହରରେ ଏହି ରହସ୍ୟଜନକ ରୋଗ ବ୍ୟାପିବାରେ ଲାଗିଛି । ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ମହିଳା ଓ ଶିଶୁମାନେ ବି ଏ ରୋଗର ଶିକାର ହେଉଛନ୍ତି। ଏକ ମେଡିକାଲ୍‌ ଟିମ୍‌ ଏଲୁରୁ ଗସ୍ତ କରି ଏ ରୋଗର କାରଣ ଓ ଲକ୍ଷଣ ସମ୍ପର୍କରେ ଅନୁଧ୍ୟାନ କରୁଛି।

ଏ ରୋଗର ଶିକାର ହୋଇଥିବା ସମସ୍ତ ରୋଗୀଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି। ତେବେ ସେମାନଙ୍କ ରକ୍ତ ନମୁନାରେ କୌଣସି ଅସ୍ବାଭାବିକତା ନଥିବା କଥା ଡାକ୍ତର ପ୍ରକାଶ କରିଛନ୍ତି। ଏହି ରହସ୍ୟଜନକ ରୋଗର ଶିକାର ହୋଇଥିବା ସମସ୍ତଙ୍କର କୋଭିଡ୍‌ ପରୀକ୍ଷା କରାଯାଇଛି। ମାତ୍ର ସମସ୍ତଙ୍କର ନେଗେଟିଭ୍‌ ଆସିଛି ବୋଲି ଆନ୍ଧ୍ରପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ଅଲ୍ଲା ନାନି ପ୍ରକାଶ କରିଛନ୍ତି। ଜଣେ ୬ ବର୍ଷର ବାଳିକାର ଅବସ୍ଥା ସଂକଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ବିଜୟୱାଡା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବାନ୍ତି ଲାଗୁଛି, ମୁଣ୍ଡ ବୁଲାଉଛି ଏବଂ ସେମାନଙ୍କ ମୁହଁରୁ ଫେଣ ବାହାରୁଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କେ. ସୁନନ୍ଦା କହିଛନ୍ତି। ତେବେ ଏଲୁରୁ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ୧୪୦ ଜଣ ସୁସ୍ଥ ହୋଇ ଫେରି ଆସିଛନ୍ତି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

Advertisement