ଶହୀଦ ବାଜିରାଉତଙ୍କ ୮୩ତମ ବଳିଦାନ ଦିବସ ଅବସରରେରେ ଆନ୍ତର୍ଜାତିକ ୱେବିନାରର ଆୟୋଜନ

ରାଜ୍ୟ ଓ ଜାତୀୟ ସ୍ତରରେ ବାଜିରାଉତଙ୍କ ସ୍ମୃତି ରକ୍ଷା ନେଇ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଦାଵୀ

240
ADVERTISEMENT

ନୂଆଦିଲ୍ଲୀ,୧୪/୧୦,(ଲକ୍ଷ୍ମୀ ବେବର୍ତ୍ତା ) : ଦେଶର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହୀଦ ବାଜି ରାଉତଙ୍କର ରାଜ୍ୟ ଓ ଜାତୀୟ ସ୍ତରରେ ଉପଯୁକ୍ତ ସ୍ମୃତି ରକ୍ଷା କରାଯିବା ପାଇଁ ଦୃଢ ଦାବୀ ଉପସ୍ଥାପନା କରାଯାଇଛି । ଶହୀଦ ବାଜିରାଉତଙ୍କର ୮୩ତମ ବଳିଦାନ ଦିବସ ପାଳନ ଅବସରରେ ଆୟୋଜିତ ଆନ୍ତର୍ଜାତିକ ୱେବିନାରରେ ଭାଗ ନେଇ ନିକଟରେ ବହୁ ବିଶିଷ୍ଟ ବକ୍ତା ମାନେ ଉଭୟ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ଠାରେ ସ୍ବର୍ଗତ ବାଜିରାଉତଙ୍କ ନାମରେ ଭବ୍ୟ ସ୍ମାରକୀ ନିର୍ମାଣ କରାଯିବାର ଆବଶ୍ୟକତା ଉପରେ ମତ ଦେଇଥିଲେ । ଦିଲ୍ଲୀରୁ ପ୍ରକାଶିତ ଇଂରାଜୀ ମାସିକ ପତ୍ରିକା ଉତ୍କଳ ଭାରତୀ ଅନୁକୁଲ୍ୟରେ ଅନୁଷ୍ଠିତ ଏହି ଅନଲାଇନ ସମ୍ମିଳନୀକୁ ଉଦଘାଟନ କରି ରାଜ୍ୟ ବିଧାନ ସଭାର ମାନ୍ୟବର ବାଚସ୍ପତି ଡ଼.ସୂର୍ଯ୍ୟ ନାରାୟଣ ପାତ୍ର , ବାଳୁତ ବାଜି ରାଉତଙ୍କର ଦେଶ ମାତ୍ତୃକା ପାଇଁ ସର୍ବୋଚ୍ଚ ତ୍ୟାଗ ତଥା ଦୁର୍ଦ୍ଦାନ୍ତ ଫିରିଙ୍ଗି ବାହିନୀ ବିରୁଦ୍ଧରେ ଲଢ଼ିବା ପାଇଁ ଅଦମ୍ୟ ସାହସକୁ ଉଦ୍ଧାର କରି , ଏହି ଗୌରବ ଗାଥା ଦ୍ୱାରା ଆମର ବର୍ତ୍ତମାନର ଓ ଭବିଷ୍ୟତ ପିଢ଼ି ଅନୁପ୍ରାଣିତ ହେବାକୁ ଆହ୍ୱାନ ଜଣାଇଥିଲେ । ବାଜିରାଉତ ଏବଂ ତାଙ୍କର ସାଥି ମାନଙ୍କ ଦ୍ୱାରା ପ୍ରାରମ୍ଭ, ପ୍ରଜାମଣ୍ଡଳୀ ଆନ୍ଦୋଳନ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ବେଶ ପ୍ରଭାବିତ କରିଥିଲା, ଯାହା ଫଳରେ ପ୍ରଥମେ ବ୍ରିଟିଶ ଶାସନର ବିନାଶ ଏବଂ ତା ପରେ ରାଜା ରାଜୁଡାଙ୍କର ଜମିଦାରୀ ଉଛେଦ ଘଟିଥିବା ଡ଼. ପାତ୍ର ଦର୍ଶାଇଥିଲେ । ସେହିଭଳି ୱେବ ସମାବେଶରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବର୍ଗତ ବାଜି ରାଉତଙ୍କର ବୀରଭୂମିର ସନ୍ତାନ ତଥା ରାଜ୍ୟର ମାନ୍ୟବର ଖଣି , ଇସ୍ପାତ ,ଓ ପୁର୍ତ୍ତୀ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , ଆଜିର ଯୁବ ସମ୍ପ୍ରଦାୟ ସ୍ୱାଧୀନତା ସେନାନୀ ମାନଙ୍କର ଜୀବନୀଦର୍ଶନ ଓ ଆଦର୍ଶ ଦ୍ୱାରା ଉଦବୁଦ୍ଧ ହେବାକୁ ପରାମର୍ଶ ଦେଇଥିଲେ । ଯୁବକମାନଙ୍କୁ ଲଗାତାର ଭାବେ ଦେଶ ପ୍ରତି ସେମାନଙ୍କର ଦାୟିତ୍ୱବୋଧତା ସମ୍ପର୍କରେ ସଚେତନ କରାଯିବାର ଆବଶ୍ୟକତା ରହିଥିବା ମନ୍ତ୍ରୀ ଦର୍ଶାଇଥିଲେ ।ସମ୍ମାନୀତ ବକ୍ତା ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ବାନର ସୈନିକ ବାଜି ରାଉତ ଙ୍କର ଅନନ୍ୟ ଦେଶ ପ୍ରେମ , ରାଷ୍ଟ୍ରପ୍ରତି ତାଙ୍କର ସମର୍ପିତ ଭାବନା ଏବଂ ନିର୍ଭୀକ ସାହସର ଭୁରି ଭୁରି ପ୍ରସଂଶା କରିଥିଲେ । ତେବେ ଏହି ଶିଶୁ ସହୀଦ ପ୍ରତି ଯଥୋଚିତ ମର୍ଯ୍ୟାଦା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇନଥିବା ନେଇ ଡ଼. ଖୁଣ୍ଟିଆ କ୍ଷୋଭ ପ୍ରକାଶ କରିଥିଲେ । ଭାରଚୁଆଲ ବୈଠକରେ ଉଦବୋଧନ ଦେଇ ଓଡିଶା ଫୋରମର ସଭାପତି ଗୋକୁଳ ପଟ୍ଟନାୟକ , ବାଜି ରାଉତ ଙ୍କର ବୀରତ୍ୱର ଅମର କଥାକୁ ଦେଶର ପାଠ୍ୟ ପୁସ୍ତକରେ ସ୍ଥାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ଯାହାଦ୍ୱାରା ଆଗାମୀ ଯୁବପିଢ଼ି ତାଙ୍କ ବିଷୟ ରେ ଅବଗତ ହୋଇପାରିବେ । ୨୦୩୬ ମସିହାରେ ଓଡିଶା ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ନେଇ ଏବେଠୁ ଭବିଷ୍ୟତ ଖସଡ଼ା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଥିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ । ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଗୁରୁମା ଡ଼. ଅରୁନ୍ଧତୀ ଦେବୀ , ଓଡ଼ିଶାର ସାମଗ୍ରିକ ବିକାଶ ଅଭିପ୍ରାୟ ରେ ସାରା ବିଶ୍ୱରେ ଓଡ଼ିଆ ଅଧିବାସୀ ମାନେ ଏକଜୁଟ ହେବାକୁ ନିବେଦନ ଜଣାଇଥିଲେ ।

ବରିଷ୍ଠ ପୋଲିସ ପ୍ରଶାସକ ତଥା କେନ୍ଦ୍ର ପଞ୍ଚାୟତରାଜ ବିଭାଗର ଯୁଗ୍ମ ଶାସନ ସଚୀବ ଡ.ସଂଜୀବ କୁମାର ପାଟ୍ଟଯୋଶୀ ଦିଲ୍ଲୀର ତ୍ୟାଗରାଜ ନଗର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବାଜିରାଉତଙ୍କର ଏକ ପ୍ରତିମୂର୍ତ୍ତୀ ସ୍ଥାପନା ପାଇଁ ପ୍ରସ୍ତାବ ରଖିଥିଲେ । ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡ଼ଃ ନଳିନୀ ପତି, ଆଜିର ଏହି ଆଲୋଚନା ଚକ୍ରରେ ନିଜକୁ ଓଡ଼ିଶା ସହିତ ଯୋଡ଼ି ହେବାର ଏବଂ ନିଜ ଭିଟ୍ଟାମାଟି ପାଇଁ କିଛି ମତାମତ ଦେବାର ସୁଯୋଗ ଯୁଟାଇଛି ବୋଲି କହିଥିଲେ । କିୟୋଟୋ ସ୍ଥିତ ଭାରତ ଜାପାନ ମୈତ୍ରୀ କେନ୍ଦ୍ରର ସଭାପତି କୁନା ଦାଶ, ଯୁବ ସମାଜ ଇତିହାସର ସ୍ବର୍ଣ୍ଣାଭ ଅଧ୍ୟାୟ କୁ ସ୍ମରଣ କରିବାକୁ ଉପଦେଶ ଦେଇଥିଲେ । ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ ଜେନା, ରାଜ୍ୟର ଭବିଷ୍ୟତକୁ ଜାଜୁଲ୍ୟମାନ କରିବା ଦିଗରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ପ୍ରତିଶୃତି ଦେଇଥିଲେ । ଟରୋଣ୍ଟୋ ଠାରେ ଅବସ୍ଥାପିତ ଓଡ଼ିଆ ସାହିତ୍ୟ ଟୁଙ୍ଗୀର ପ୍ରତିଷ୍ଠାତା ଡ଼ଃ ତନ୍ମୟ ପଣ୍ଡା, ବିଶ୍ୱ ଭରି ଓଡ଼ିଆ ଭାଷା ର ପ୍ରଚାର, ପ୍ରସାର ସହ ଜଗନ୍ନାଥ ଦର୍ଶନ ଏବଂଶ୍ରୀ ଜଗନ୍ନାଥ ତତ୍ୱକୁ ବିଦେଶୀ ବିଶ୍ୱବିଦ୍ୟାଳୟ ମାନଙ୍କର ପାଠ୍ୟକ୍ରମରେ ସାମିଲ କରାଯିବା ନେଇ ପ୍ରାଧାନ୍ୟ ଦିଆଯିବାକୁ କହିଥିଲେ । ଦୁବାଇ ସ୍ଥିତ ଓଡ଼ିଶା ସମାଜ ୟୁ.ଏ.ଇ. ର ସାଧରଣ ସଂପାଦକ ପ୍ରୀତିଶ ଦାଶ, ଓଡ଼ିଶା ଓ ଓଡ଼ିଆଙ୍କର ସେବା ପାଇଁ ତାଙ୍କର ସଂସ୍ଥା ସଦାସର୍ବଦା ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ । ଓଡ଼ିଶା ସମାଜ ୟୁ.କେ. ର ସାଧରଣ ସଂପାଦକ ଶିବରଞ୍ଜନ ବିଶ୍ୱାଳ ଦେଶପ୍ରେମ ଓ ରାଷ୍ଟ୍ର ଭକ୍ତି ପାଇଁ ବୟସ ବା ଭୌଗଳିକ ସୀମାରେଖା କେବେ ବାଧକ ସାଜି ପାରେନା ବୋଲି ଉଲ୍ଲେଖ କରିଥିଲେ ।ଆମ୍ବେଦକର ଫାଉଣ୍ଡେସନ ନିର୍ଦେଶକ ଡ଼ଃ ଦେବେନ୍ଦ୍ର ମାଝି, ବାଜିରାଉତ ଙ୍କର ଶିଶୁ ସାହାସିକତାର ଉପାଖ୍ୟାନ, ଏନ.ସି.ଇ.ଆର .ଟି ଓ ଏନ.ବି.ଟି ଦ୍ୱାରା ପ୍ରସାରିତ ହେବା ଆବଶ୍ୟକ ବୋଲି କହିଥିଲେ । ଏନ.ଜି.ଓ. ଫେଡେରେସନର ସାଧାରଣ ସଂପାଦକ ଡ଼ଃ ଆର.ଏନ ବେହେରା ଉଇକ୍ଲିପିଡିଆ ରେ ବାଜି ରାଉତ ସ୍ଥାନ ପାଇବା ଜରୁରୀ ବୋଲି ସୂଚାଇଥିଲେ । ବାଜି ରାଉତ ସ୍ମୃତି ପରିଷଦ ର ସଭାପତି କୃଷ୍ଣ ଆଇଚ ଭୁବନେଶ୍ୱର ଓ ଦିଲ୍ଲୀ ଠାରେ ବାଜି ରାଉତଙ୍କ ନାମରେ ରାସ୍ତା ଓ ଭବନକୁ ନାମିତ କରିବାକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଲଗ୍ନଦୀପା ମିଶ୍ର, ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ, ସମାଜସେବୀ ରତନ ବେହେରା, ପ୍ରାଧ୍ୟାପକ ଅଲ୍ପନା ପଟ୍ଟନାୟକ, ଓ କୃଷି ବୈଜ୍ଞାନିକ ନବକିଶୋର ପରିଡ଼ା, ଡ଼. ନିର୍ମଳ ପଟନାୟକ ପ୍ରମୁଖ ସହୀଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ
ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ଜୁଏଲ ଓରାମ, ଅମରେନ୍ଦ୍ର ଖଟୁଆ, ନିହାର ସାମନ୍ତରା , ବିଭୁ ତ୍ରିପାଠୀ , ପିତାମ୍ବର ବାରିକ, ଶମ୍ଭୁନାଥ ଦାସ, ମନୋଜ ପାତ୍ର, ଭବାନୀ ଦୀକ୍ଷିତ, ପ୍ରବୋଧ ସାମନ୍ତରା, ଦେବେନ୍ଦ୍ର ରାଉତ, ହୃଷିକେଶ ପାତ୍ର, ଶିବ ମିଶ୍ର, ଆଶୁତୋଷ ଦାସ, ଏବଂ ବ୍ରଜ ପଣ୍ଡା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଶେଷରେ କବି ଓ କବୟତ୍ରୀ ମାନେ ସ୍ୱରଚିତ ଦେଶାତ୍ମବୋଧକ ଗୀତ ଓ ଭକ୍ତି ସଂଗୀତ ଗାନ କରିଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ଏହି ଇଣ୍ଟରନେଟ ଅଧିବେଶନ କୁ ଆୟୋଜନର କର୍ତ୍ତା ବରିଷ୍ଠ ସାମ୍ବାଦିକ ତଥା ବନ୍ଦେ ଉତ୍କଳ ଫାଉଣ୍ଡେସନ ର ପ୍ରତିଷ୍ଠାତା ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଉପସ୍ଥାପନା ଓ ସଂଚାଳନା କରିଥିଲେ । ସମ୍ପ୍ରତି ବିଶ୍ୱବ୍ୟାପି କରୋନା ମହାମାରୀ ସମୟରେ ନାନାଦି ଅସୁବିଧା ସତ୍ୱେ ପୃଥିବୀର ବିଭିନ୍ନ ଭାଗରୁ ପ୍ରବାସୀ ଓଡ଼ିଆ ମାନେ ଯେଉଁଭଳି ଭାବେ ଏହି ୱେବିନାରରେ ଉତ୍ସାହର ସହିତ ଅଂଶ ଗ୍ରହଣ କଲେ ସେଥିପାଇଁ ନିଜେ ପ୍ରସନ୍ନତା ପ୍ରକଟ କରିଛନ୍ତି ବୋଲି ଶ୍ରୀ ଦ୍ୱିବେଦୀ ପ୍ରକାଶ କରିଥିଲେ ।

Advertisement