Thursday, September 17, 2026
ADVERTISEMENT
Home ଜାତୀୟ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ସ୍ୱଚ୍ଛଭାରତ ମିଶନ ଏକାଡେମୀ ଉଦ୍‌ଘାଟିତ

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ସ୍ୱଚ୍ଛଭାରତ ମିଶନ ଏକାଡେମୀ ଉଦ୍‌ଘାଟିତ

466
indiaeducationdiary
ADVERTISEMENT

ନୂଆଦିଲ୍ଲୀ,୧୧-୦୮(ପିଆଇବି) : କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ସ୍ୱଚ୍ଛ ଭାରତ ମିଶନ ଏକାଡେମୀକୁ ଏଠାରେ ଉଦ୍‌ଘାଟନ କରିଛନ୍ତି । ଏବେ ଚାଲିଥିବା ସପ୍ତାହବ୍ୟାପୀ ଗନ୍ଦଗୀମୁକ୍ତ ଭାରତ ଅଭିଯାନ କାର୍ୟ୍ୟକ୍ରମର ଏକ ଅଂଶବିଶେଷ ସ୍ୱରୂପ ଏହି ଏକାଡେମୀ ଉଦ୍‌ଘାଟିତ ହୋଇଛି । ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଏବେ ଏହି ଅଭିଯାନ ଚାଲିଛି । ଶ୍ରୀ ଶେଖାୱତ ଆଇଭିଆର ଟୋଲ ଫ୍ରି ନମ୍ବର ଡାଏଲ କରି ସଂପୃକ୍ତ ଏକାଡେମୀରୁ ହେଲୋ ବାର୍ତ୍ତା ଶୁଣିବା ସହିତ ଏହାକୁ ଉଦ୍‌ଘାଟନ କରିଥିଲେ ।

ସ୍ୱଚ୍ଛାଗ୍ରହୀ ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କାର୍ୟ୍ୟକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ତଥା ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ ଏହି ଏକାଡେମୀ ଅନ୍‌ଲାଇନ ପାଠ୍ୟକ୍ରମ ଯୋଗାଇଦେବ । ବିଶେଷକରି ଓଡିଏଫ୍‌ ପ୍ଲସ ବା ବାହ୍ୟ ମଳତ୍ୟାଗ ମୁକ୍ତ ସ୍ଥିତିର ଦ୍ୱିତୀୟ ପର୍ୟ୍ୟାୟ ଲକ୍ଷ୍ୟ ପୂରଣ ପାଇଁ ଏହି ଏକାଡେମୀ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ସଚେତନ ଓ ଶିକ୍ଷିତ କରାଇବ । ଏଠାରେ ସୂଚନାଯୋଗ୍ୟ ଯେ ଭାରତ ଖୋଲା ମଳତ୍ୟାଗ ମୁକ୍ତ ହେବାପରେ ସ୍ୱଚ୍ଛ ଭାରତ ଅଭିଯାନର ସଫଳତାକୁ ବଜାୟ ରଖିବା ଏବଂ ଏହି କାର୍ୟ୍ୟକ୍ରମର ନିରନ୍ତରତାକୁ ଅବ୍ୟାହତ ରଖିବା ପାଇଁ ସ୍ୱଚ୍ଛ ଭାରତ ମିଶନ (ଜି)ର ପର୍ୟ୍ୟାୟ-୨ କାର୍ୟ୍ୟକାରୀ ହେଉଛି ।

ମନ୍ତ୍ରୀ କହିଛନ୍ତି ଯେ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ ଭାରତକୁ ବଦଳାଇ ଦେଇଛି ଏବଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ପରିଚ୍ଛନ୍ନତା ଓ ସ୍ୱଚ୍ଛତା କ୍ଷେତ୍ରରେ ଏହି କାର୍ୟ୍ୟକ୍ରମରେ ଭାରତରେ ଯେଉଁ ଗଣଆନ୍ଦୋଳନ ସୃଷ୍ଟି ହୋଇଛି ତାହା ବିଶ୍ୱରେ କ୍ୱଚିତ ଦେଖାଯାଏ । ଏହାଫଳରେ ସମଗ୍ର ଭାରତରେ ବାହାରେ ମଳତ୍ୟାଗ କରିବାର ପୁରୁଣା ଅଭ୍ୟାସର ଅବସାନ ଘଟିଛି । ୨୦୧୯ ଅକ୍ଟୋବର ୨ ତାରିଖରେ କେନ୍ଦ୍ର ସରକାର ସବୁ ଗାଁ, ଜିଲା ଓ ରାଜ୍ୟକୁ ଖୋଲା ମଳତ୍ୟାଗ ମୁକ୍ତ ବା ଓଡିଏଫ୍‌ ଘୋଷଣା କରିଛନ୍ତି । ଏହି ଅସାଧାରଣ ସଫଳତାକୁ ଆଗକୁ ବଢାଇବା ପାଇଁ ଚଳିତବର୍ଷ ପ୍ରାରମ୍ଭରେ ସ୍ୱଚ୍ଛଭାରତ ଗ୍ରାମୀଣ ପର୍ୟ୍ୟାୟ-୨ ଆରମ୍ଭ ହୋଇଥିଲା । ଏଥିରେ ଏହି ସଫଳତାକୁ ଜାରି ରଖିବା ଏବଂ ତରଳ ଓ କଠିନ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏଥିରେ କୌଣସି ଲୋକଙ୍କୁ ଆଉ ଖୋଲାରେ ମଳତ୍ୟାଗ କରିବାକୁ ସୁଯୋଗ ଦିଆଯିବ ନାହିଁ ଏବଂ ପ୍ରତ୍ୟେକଙ୍କୁ ଶୌଚାଳୟର ସୁବିଧା ଯୋଗାଇ ଦିଆଯିବ । ସେ କହିଛନ୍ତି ଯେ ସ୍ୱଚ୍ଛଭାରତ ମିଶନ ଏକାଡେମୀ ଏହାର ମୋବାଇଲ ଭିତ୍ତିକ ଟେକ୍ନୋଲଜି ଦ୍ୱାରା ସ୍ୱଚ୍ଛାଗ୍ରହୀ, ପିଆରଆଇ ସଦସ୍ୟ, ଗୋଷ୍ଠୀଭିତ୍ତିକ ସଂଗଠନ, ଏନ୍‌ଜିଓ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ସମସ୍ତ ସଂପୃକ୍ତ ପକ୍ଷଙ୍କୁ ଦକ୍ଷତା ନିର୍ମାଣ ଓ ତାଲିମ ପ୍ରଦାନରେ ସହାୟକ ହେବ । ଏହି କାମ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ-୨ ପର୍ୟ୍ୟାୟର ଅନ୍ତର୍ଭୁକ୍ତ ।

ଏଥିରେ ଉଦ୍‌ବୋଧନ ଦେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରତନଲାଲ କଟାରିଆ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏସ୍‌ବିଏମ୍‌ଜି-୨ ଟିମ୍‌ର ଅଧିକାରୀ, ସଦସ୍ୟ ଓ ଅଗଣିତ ସ୍ୱଚ୍ଛାଗ୍ରହୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୀର୍ଘ ୫ବର୍ଷ କାଳ ଏମାନେ ଲୋକଙ୍କ ବ୍ୟବହାର ପରିବର୍ତ୍ତନରେ ଦେଶବ୍ୟାପୀ ଯେଉଁ ପ୍ରୟାସ କରିଛନ୍ତି ତାହାର ସେ ଉଚ୍ଚ ପ୍ରଶଂସା କରିଥିଲେ । ସମାନ ଉତ୍ସାହ ଓ ଶକ୍ତି ଦେଖାଇ ସେମାନେ ଏହି ଦ୍ୱିତୀୟ ପର୍ୟ୍ୟାୟକୁ ସଫଳ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ପାନୀୟ ଜଳ ଏବଂ ପରିଚ୍ଛନ୍ନତା ବିଭାଗର ସଚିବ ଶ୍ରୀ ପରମେଶ୍ୱରନ୍‌ ଆୟାର ଏସ୍‌ବିଏମ୍‌ ଏକାଡେମୀର କାର୍ୟ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ । ସେ କହିଥିଲେ ଯେ ଫୋନ ଭିତ୍ତିକ ଏହି ଏକାଡେମୀ ଦେଶର ଯେକୌଣସି ଜାଗାରୁ ଯେକୌଣସି ସଂଗଠନକୁ ଯେକୌଣସି ସମୟରେ ସ୍ୱଚ୍ଛଭାରତ ସଂକ୍ରାନ୍ତ ପ୍ରଶିକ୍ଷଣ ପାଠ୍ୟକ୍ରମ ବିନା ମୂଲ୍ୟରେ ଯୋଗାଇଦେବ । ମୌଳିକ ମୋବାଇଲ ଫୋନରେ ମଧ୍ୟ ଏହି ସୁବିଧା ମିଳିପାରିବ । ଏହି ଆଇଭିଆର ଭିତ୍ତିକ ତାଲିମ ପାଠ୍ୟକ୍ରମରେ ବିଭିନ୍ନ ବିଷୟକ ୬୦ ମିନିଟ ବିଶିଷ୍ଟ ମଡ୍ୟୁଲ ରହିଛି । ଏହି ପାଠ୍ରକ୍ରମରେ ୪ଟି ଅଧ୍ୟାୟ ଅଛି । ପ୍ରତ୍ୟେକଟିରେ ୪ ଗୋଟି ଅଡିଓ ଲେସନ୍‌ ଓ ଗୋଟିଏ ମଲ୍‌ଟିପୁଲ ଚଏସ କୁଇଜ ସ୍ଥାନ ପାଇଛି । ବ୍ୟବହାରକାରୀ ଅତି କମ୍‌ରେ ୫୦ ଶତାଂଶ ପ୍ରଶ୍ନର ଠିକ୍‌ ଉତ୍ତର ଦେଇପାରିଲେ ସେମାନେ ତାଲିମରେ ସଫଳ ହେଲେ ବୋଲି ବିବେଚିତ ହେବେ ।

ବର୍ତ୍ତମାନ ଏସ୍‌ବିଏମ୍‌ ଏକାଡେମୀର ବିଷୟବସ୍ତୁ ହିନ୍ଦୀରେ ଉପଲବ୍ଧ । ବ୍ୟବହାରକାରୀ ୧୮୦୦୧୮୦୦୪୦୪ ଟୋଲ ଫ୍ରି ନମ୍ବରକୁ ଫୋନ କଲେ ପୂର୍ଣ୍ଣାଙ୍ଗ ବିଷୟବସ୍ତୁ ନିଜ ମୋବାଇଲରେ ଶୁଣିପାରିବେ । ଏହି ଅବସରରେ ଦୁଇ ମନ୍ତ୍ରୀ କେତେକ ସ୍ୱଚ୍ଛାଗ୍ରହୀ, କ୍ଷେତ୍ରସ୍ତରୀୟ କାର୍ୟ୍ୟକର୍ତ୍ତା ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ମୁକ୍ତ ଶୈକ୍ଷିକ ପାଠ୍ୟକ୍ରମର ସୁଯୋଗ ନେବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବାକୁ ଉଭୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Advertisement