ଅଦରକାରୀ ସ୍କୁଟର ଇଞ୍ଜିନ ସାଜିଲା କୃଷକ ବନ୍ଧୁ

338
ADVERTISEMENT

ବାଲେଶ୍ବର,୯/୭(ନରେନ୍ଦ୍ର ପ୍ରସାଦ ବେହେରା) : ବୈଜ୍ଞାନିକମାନେ ଦିନରାତିକୁ ଏକକରି ନିଜର ଗବେଷଣା ଜାରି ରଖିଥାନ୍ତି କିପରି ନୂଆ ନୂଆ ଜିନିଷ ଉଦ୍ଭାବନ କରି ସାରା ସମାଜକୁ ଜାଣାଇବେ । କିନ୍ତୁ ଅଦରକାରୀ ଜିନିଷ ଦିନେ କାର୍ଯ୍ୟରେ ଲାଗିବ ଏକଥା ବହୁତ କମ୍ ଲୋକ ଜାଣନ୍ତି । ସେଥିପାଇଁ ବ୍ଯବହାର କରୁଥିବା କିଛି ଜିନିଷ ପୁରୁଣା ହୋଇଗଲା ପରେ ଅନେକ ବ୍ଯକ୍ତି ଫିଙ୍ଗିଦେଇଥାନ୍ତି । ଅଦରକାରୀ ମନେକରି ଓଳିକଡେ ଫିଙ୍ଗିଦେଇ ନୂତନ ଆଣିଥାନ୍ତି । ସେହି ଅଦରକାରୀ ପୁରୁଣା ପଦାର୍ଥ ଯେ ଦିନେ କୃଷକର ବନ୍ଧୁ ସାଜିବ କାହାରି ମନରେ ଧାରଣା ନଥିଲା । ଏହିପରି ଏକ ଅଦରକାରୀ ସ୍କୁଟର ଇଞ୍ଜିନ କୃଷକର ବନ୍ଧୁ ପାୱାର ଟିଲର ସାଜିବା ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ କଣ୍ଟିଗଡିଆ ଗ୍ରାମର କାରିଗର ଭାସ୍କର ମହାରଣାଙ୍କ ଠାରେ । ଶ୍ରୀ ମହାରଣା ଜାତିରେ କମାର ହୋଇଥିବାରୁ ଖଇରା ବଜାରରେ ତାଙ୍କର କମାରଶାଳଟିଏ ଅଛି । ବାପା ଦାୟାନିଧିଙ୍କ ଠାରୁ ସେ ନିଜର କୌଳିକ ବୃତ୍ତି ଶିଖିଥିଲେ । ବାଲେଶ୍ବରରୁ ସରକାରୀ ଆଇଟିଆଇ ପାସ୍ କଲାପରେ ଏବେ ତାଙ୍କର କୌଳିକ ବୃତ୍ତିକୁ ଚାଲୁରଖିଛନ୍ତି । ଆଇଟିଆଇ ପଢିଲାବେଳେ ତାଙ୍କ ମନରେ ଜାଗ୍ରତ ହୋଇଥିଲା କିଛି ନୂଆ ଜିନିଷ ଉଦ୍ଭାବନ କରି ସମାଜକୁ ଦେଖେଇବା । ସାରା ବିଶ୍ବରେ କରୋନା ମହାମାରୀରେ ଜନସାଧାରଣ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ବନ୍ଦୀ ଜୀବନ କଟାଉଥିଲା ବେଳେ ପୂର୍ବର ସେହି ନୂତନ ଉଦ୍ଭାବନ କଥାକୁ ମନେପକାଇ ଯୋଗାଡକଲେ ଏକ ଅଦରକାରୀ ସ୍କୁଟର ଇଞ୍ଜିନ । ନିଜର କାରିଗରୀ ଜ୍ଞାନକୁ ଖଟାଇ କୃଷକର ବନ୍ଧୁ ପାୱାର ଟିଲରଟିଏ ନିର୍ମାଣ କରିବା ପାଇଁ ମନ ବଳାଇଲେ । ଯାହାହେଉ ତାଙ୍କ ମନରେ ଜାଗ୍ରତ ହୋଇଥିବା ସେହି ଆଶାକୁ ଅଦରକାରୀ ସ୍କୁଟର ଇଞ୍ଜିନ ପୂରଣ କରିପାରିବ ବୋଲି ଆଶାନେଇ ନିଜସ୍ବ କାରିଗରୀ କୌଶଳରେ ନିର୍ମାଣ କରି ସମାଜକୁ ଦେଖେଇ ଦେଇପାରିଛନ୍ତି । ପ୍ରଥମେ ସେ ତାଙ୍କ ନିଜ ଚାଷ ଜମିରେ ନିଜେ ହଳକରି ସଫଳ ହୋଇଛନ୍ତି । ଏହି ପାୱାର ଟିଲରଟିକୁ ନିର୍ମାଣ କରିବା ପାଇଁ ତାଙ୍କୁ ୨ମାସ ସମୟ ଲାଗିଥିଲା । ୫୦ ବର୍ଷ ବୟସରେ ପରିଣତ ହୋଇଥିଲେ ବି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହିତ ସମାଜ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ୨ମାସର ପରିଶ୍ରମ ଆଜି ତାଙ୍କର ସାର୍ଥକ ହୋଇଛି । ଏଥିରେ ରାଜଦୂତ ମଟର ସାଇକେଲ ହେଣ୍ଡେଲ, ମଟର ସାଇକେଲ ଚେନ୍,ବୋଲେରୁ ଡିସ୍,କବାଡିଆ ଏଙ୍ଗଲ ଓ ଲଙ୍ଗଳ ୨ଟିକୁ ବ୍ୟବହାର କରି ଏକ ସୁନ୍ଦର କାର୍ଯ୍ୟକ୍ଷମ ପାୱାର ଟିଲରଟିଏ ତିଆରି କରି ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି , ବଜାରରେ ବିକ୍ରି ହେଉଥିବା ଷ୍ଟାଣ୍ଡ ଫେନ୍ ଭଳି ଷ୍ଟାଣ୍ଡ ଫେନ୍ ମଧ୍ୟ ତିଆରି କରିପାରୁଛନ୍ତି । ଏହି ପାୱାର ଟିଲରଟି ଖରା ଓ ବର୍ଷା ଦିନରେ ବିଲରେ ହଳ କରିପାରୁଛି । ଅଯଥାରେ ପଡିନଷ୍ଟ ହୋଇଯାଉଥିବା ସ୍କୁଟର ଇଞ୍ଜିନରୁ ନିର୍ମିତ ପାୱାର ଟିଲର କୃଷକର ବନ୍ଧୁ ହୋଇ ପାରିଥିବାରୁ ଶ୍ରୀ ମହାରଣା ବହୁତ ଖୁସି ଅନୁଭବ କରିଛନ୍ତି । ପ୍ରଥମକରି ଅଞ୍ଚଳବାସୀ ଶ୍ରୀ ମହାରଣାଙ୍କ ଉଦ୍ଭାବନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିବାରୁ ଦେଖିବା ପାଇଁ ବିଭିନ୍ନ ଲୋକଙ୍କ ସୁଅ ଛୁଟୁ ଥିବାର ଜଣାପଡିଛି । ଆଗକୁ ଆହୁରି ନୂଆ ନୂଆ ସୃଷ୍ଟି କରିବାର ଆଗ୍ରହ ଅଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Advertisement