Friday, September 18, 2026
ADVERTISEMENT
Home ଜାତୀୟ କୃଷିଜାତ ସାମଗ୍ରୀ ବିକ୍ରିରେ ରହିବ ନାହିଁ କୌଣସି କଟକଣା

କୃଷିଜାତ ସାମଗ୍ରୀ ବିକ୍ରିରେ ରହିବ ନାହିଁ କୌଣସି କଟକଣା

622
ADVERTISEMENT

ଭୁବନେଶ୍ବର: ଉତ୍ପାଦିତ ଫସଲ ବିକ୍ରି ପାଇଁ ପୂର୍ବରୁ ଚାଷୀମାନଙ୍କ ନିକଟରେ ଦୁଇଟି ବିକଳ୍ପ ଥିଲା । ପ୍ରଥମତଃ, ସେମାନେ ନିଜ ଉତ୍ପାଦିତ କୃଷିଜାତ ସାମଗ୍ରୀ ଏମଏସପି ଦରରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ମଣ୍ଡିରେ ବିକ୍ରି କରୁଥିଲେ । ଦ୍ୱିତୀୟତଃ, ଦଲାଲଙ୍କ ଶୋଷଣର ଶିକାର ହୋଇ କ୍ଷତି ସହିବା ସତ୍ୱେ ଧାର୍ୟ୍ୟ ଦରଠାରୁ କମ ମୂଲ୍ୟରେ ସେଗୁଡ଼ିକୁ ବିକ୍ରି କରୁଥିଲେ । ଫସଲ ନଷ୍ଟ ହୋଇଯିବା ଆଶଙ୍କାରେ ସେମାନଙ୍କୁ ଏପରି କରିବାକୁ ପଡ଼ୁଥିଲା । ଅନ୍ୟପଟେ ସରକାରୀ ମଣ୍ଡିରେ ଫସଲ ବିକ୍ରି ପାଇଁ ନିର୍ଦ୍ଦିଷ୍ଟ ସୀମା ରହୁଥିବାରୁ ଚାଷୀମାନେ ଇଚ୍ଛା ମୁତାବକ ପରିମାଣର ଫସଲ ବିକ୍ରି କରିପାରୁନଥିଲେ । ବାହାରେ ଫସଲ ବିକ୍ରି କ୍ଷେତ୍ରରେ ମଧ୍ୟ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର କଟକଣା ରହୁଥିଲା । ଏବେ ଆଉ ସେପରି ସମସ୍ୟା ରହିବ ନାହିଁ । କାରଣ ଉତ୍ପାଦିତ ଫସଲ ବିକ୍ରି କ୍ଷେତ୍ରରେ ରହିଥିବା ବିଭିନ୍ନ ପ୍ରକାରର କଟକଣାକୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । କୃଷିଜାତ ସାମଗ୍ରୀ ବିକ୍ରି ଲାଗି ‘ଏକ ରାଷ୍ଟ୍ର ଏକ ବଜାର’ ବ୍ୟବସ୍ଥା ପ୍ରତିଷ୍ଠା ଉଦେ୍ଦଶ୍ୟରେ କେନ୍ଦ୍ର କ୍ୟାବିନେଟ ‘କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ସମ୍ବର୍ଦ୍ଧନ ଏବଂ ସୁବିଧା) ଅଧ୍ୟାଦେଶ ୨୦୨୦’ ଅନୁମୋଦନ କରିଛନ୍ତି ।

ଏହି ଅଧ୍ୟାଦେଶ ଆସିବା ଫଳରେ ବିଭିନ୍ନ ପ୍ରକାରର ନିୟାମକ ପ୍ରତିବନ୍ଧକ କାରଣରୁ ନିଜ ଉତ୍ପାଦ ବିକ୍ରି କରିବାରେ ସମସ୍ୟା ଭୋଗୁଥିବା ଦେଶର କୃଷକମାନଙ୍କୁ ବିଜ୍ଞପିତ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ବାହାରେ ଥିବା ବଜାରରେ କୃଷିଜାତ ଉତ୍ପାଦ ବିକ୍ରି କରିବାର ସୁବିଧା ମିଳିବ । ଅଧ୍ୟାଦେଶ ବଳରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ କୃଷି ଉତ୍ପାଦର ଉନ୍ମୁକ୍ତ ବ୍ୟବସାୟ ସୁଗମ ହେବ । କୃଷକମାନଙ୍କୁ ଅଧିକ ବିକଳ୍ପ ମିଳିବ । ବଜାର ବ୍ୟୟ ହ୍ରାସ ପାଇବ ଏବଂ ସେମାନଙ୍କୁ ନିଜ ଉତ୍ପାଦର ଉନ୍ନତ ଦର ମିଳିପାରିବ । ଏହାବ୍ୟତୀତ ଅଧିକ ଉତ୍ପାଦନ କ୍ଷେତ୍ରରେ ମଧ୍ୟ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ଅଧିକ ମୂଲ୍ୟ ମିଳିପାରିବ । ଅନ୍ୟପଟେ କମ ଉତ୍ପାଦିତ କ୍ଷେତ୍ରରେ ଉପଭୋକ୍ତାମାନଙ୍କୁ ମଧ୍ୟ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ । ଅଧ୍ୟାଦେଶରେ କୃଷି ଉତ୍ପାଦର ସୁଗମ କାରବାର ସୁନିଶ୍ଚିତ କରିବା ଲାଗି ଏକ ଇ-ପ୍ଲାଟଫର୍ମ ବିକଶିତ କରିବାର ପ୍ରସ୍ତାବ ମଧ୍ୟ ରହିଛି ।

କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତିକୁ ମାଲକାନଗିରି ଜିଲ୍ଲାର ଚାଷୀମାନେ ସ୍ୱାଗତ କରିଛନ୍ତି । ଜିଲ୍ଲାର ତଣ୍ଡାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ.ଭି-୧୫ ଗ୍ରାମର ପନିପରିବା ଚାଷୀ ଜିବେଶ ମଣ୍ଡଳ ଓ କାଳୀପଦ ମଣ୍ଡଳ ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ବର୍ତମାନ ଆମ ଜିଲ୍ଲାର ଚାଷୀମାନେ ବାହାର ଜିଲ୍ଲା ଓ ରାଜ୍ୟରେ ମଧ୍ୟ ସେମାନଙ୍କ ଫସଲ ବିକ୍ରି କରିପାରିବେ । ଫସଲ ବିକ୍ରି ଲାଗି ଆମପାଇଁ କୌଣସି କଟକଣା ରହିବ ନାହିଁ । ଆଗରୁ ଉତ୍ପାଦିତ ଫସଲ, ପନିପରିବା ବିକ୍ରି କରିବା ପାଇଁ ଅସୁବିଧା ହେଉଥିଲା । ତେବେ କେନ୍ଦ୍ର ସରକାରଙ୍କ ଏକ ରାଷ୍ଟ୍ର ଏକ କୃଷି ବଜାର ନିଷ୍ପତ୍ତି ଦ୍ୱାରା ଆମେ ବାହାର ବଜାରରେ ଫସଲ ଓ ପନିପରିବା ସୁବିଧାରେ ବିକ୍ରି କରିପାରିବୁ । ଏହାଦ୍ୱାରା ରୋଜଗାର ବଢ଼ିବ ଓ ଆମ ପାଇଁ ପରିବାର ଚଳାଇବା ସହଜ ହୋଇପାରିବ । ସେମାନେ ଏଭଳି ଐତିହାସିକ ନିଷ୍ପତି ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ‘କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ସମ୍ବର୍ଦ୍ଧନ ଏବଂ ସୁବିଧା) ଅଧ୍ୟାଦେଶ ୨୦୨୦’ର ମୂଳ ଉଦ୍ଦେଶ୍ୟ ହେଉଛି, ଏପିଏମସି ବଜାର ସୀମା ବାହାରେ କୃଷକମାନଙ୍କୁ କାରବାର ପାଇଁ ଅତିରିକ୍ତ ସୁଯୋଗ ଉପଲବ୍ଧ କରାଇବା ଯାହା ଫଳରେ ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ସେମାନଙ୍କୁ ନିଜ ଉତ୍ପାଦର ଭଲ ଦାମ ମିଳିପାରିବ । ଏହା ନିଶ୍ଚିତ ଭାବେ ‘ଏକ ଦେଶ, ଏକ କୃଷି ବଜାର’ ନିର୍ମାଣ ମାର୍ଗ ପ୍ରଶସ୍ତ କରିବ ଏବଂ କଠୋର ପରିଶ୍ରମ କରୁଥିବା ଆମର କୃଷକମାନଙ୍କ ପାଇଁ ସେମାନଙ୍କ ଉତ୍ପାଦର ଇଚ୍ଛାମୁତାବକ ଦାମ ମିଳିବା ସୁନିଶ୍ଚିତ ହୋଇପାରିବ । କୃଷକମାନଙ୍କୁ ପ୍ରକ୍ରିୟାକରଣକାରୀ, ଏଗ୍ରିଗେଟର୍ସ, ପାଇକାରୀ ବିକ୍ରେତା, ବଡ଼ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀଙ୍କ ସହିତ ଯୋଡ଼ି ଏହା ସେମାନଙ୍କୁ ସଶକ୍ତ କରିବ ।

Advertisement