
ବଲାଙ୍ଗୀର,୧୯-୦୫(ଦେବବ୍ରତ ଗୁରୁ):ବଲାଙ୍ଗୀର ରେଳଷ୍ଟେଶନରେ ଆଜି ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଆସି ପହଞ୍ଚଥିଲା । ଏହି ତିନି ଟ୍ରେନ୍ରେ ଓଡିଶାର ୩୦ଜିଲ୍ଲାର ପ୍ରାୟ ୪ ହଜାର ପ୍ରବାସୀ ଆସିଥିଲେ। ଅଜି ଭୋରୁ ପ୍ରଥମେ ବିଶାଖାପାଟଣାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଆସି ପହଞ୍ଚିଥିଲା । ଏହି ଟ୍ରେନ୍ରେ ୧୪୧୭ ଜଣ ପ୍ରବାସୀ ଓଡିଆ ଆସିଥିଲେ। ସେମାନଙ୍କ ଥର୍ମାଲ ସ୍କ୍ରିନିଂ ଟେଷ୍ଟ କଲାପରେ ପଞ୍ଜୀକରଣ କରାଯାଇ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା। ଏହାପରେ ସେମାନଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଯାଇଥିଲା । ଅଜି ଆସିଥିବା ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ମଧ୍ୟରୁ ପ୍ରଥମ ଟ୍ରେନ ବିଶାଖାପାଟଣାରୁ ବଲାଙ୍ଗୀର ଆସିଥିଲା । ସେଥିରେ ବଲାଙ୍ଗୀର ଜିଲ୍ଲାର ୭୮୨ଜଣ ଆସିଥିବା ବେଳେ, ସୁନ୍ଦରଗଡର ୧୮ଜଣ, ବରଗଡର ୪୯ଜଣ, ଢ଼େଙ୍କାନାଳର ୭୦ଜଣ, ଗଞ୍ଜାମର ୫୬ଜଣ, ଜଗତସିଂପୁରର ୨୨ଜଣ, ଭଦ୍ରକର ୪ଜଣ, ରାୟଗଡାର ୨୦ଜଣ, ବାଲେଶ୍ୱରର ୬୦ଜଣ, କଟକର ୪୦ଜଣ, ଯାଜପୁର ୧୯ଜଣ, କେନ୍ଦ୍ରପଡାର ୨୮ଜଣ, ମୟୁରଭଞ୍ଜର ୨୦ଜଣ, ସମ୍ବଲପୁର ୨ଜଣ, ଦେବଗଡର ୫ଜଣଙ୍କୁ ମିଶାଇ ସମୁଦାୟ ୧୪୧୭ ଜଣ ପ୍ରବାସୀ ଆସିଥିଲେ । ଦ୍ୱିତୀୟ ଟ୍ରେନ୍ ତାମିଲନାଡୁର ତିରୁଭଲ୍ଲୁର ଷ୍ଟେଶନ୍ରୁ ବଲାଙ୍ଗୀର ଆସିଥିଲା। ଅପରାହ୍ଣରେ ପହଞ୍ଚିଥିବା ଏହି ଟ୍ରେନ୍ରେ ୧୩୩୧ ଜଣ ପ୍ରବାସୀ ଆସି ପହଞ୍ଚିଥିଲେ। ସେଥିରେ ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ୭୨୫ ଜଣ ରହିଛନ୍ତି। ସେହିପରି ନୂଆପଡାର ଜିଲ୍ଲାର ୧୮୧ଜଣ , କଳାହାଣ୍ଡିର ଜିଲ୍ଲାର ୧୬୫,ଗଞ୍ଜାମର ଜିଲ୍ଲାର ୬୨,ନବରଙ୍ଗପୁର ଜିଲ୍ଲାର ୨୯,ସୁବର୍ଣ୍ଣପୁର ଜିଲ୍ଲାର ୧୨,ଖୋର୍ଦ୍ଧାର ଜିଲ୍ଲାର ୨୪,ଯାଜପୁରର ଜିଲ୍ଲାର ୧୫,ଭଦ୍ରକର ଜିଲ୍ଲାର ୧୧ ଜଣ, କୋରାପୁଟର ଜିଲ୍ଲାର ୧୪ ଜଣ, କଟକର ଜିଲ୍ଲାର ୫ଜଣ, ବାଲେଶ୍ୱର ଜିଲ୍ଲାର ୫ଜଣ, ଦେବଗଡର ଜିଲ୍ଲାର ୭ ଜଣ ସମେତ ଅନ୍ୟ ଜିଲ୍ଲାର ମିଶି ୧୩୩୧ ଜଣ ପ୍ରବାସୀ ଆସିଥିଲେ। ସେ ସମସ୍ତଙ୍କୁ ମଧ୍ୟ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି । ସନ୍ଧ୍ୟା ପ୍ରାୟ ୭ଟାରେ ଗୁଜୁରାଟର ରାଜକୋଟରୁ ଆସିଥିବା ତୃତୀୟ ଶ୍ରମିକ ସ୍ପେଶାଲ ଟ୍ରେନ୍ ବଲାଙ୍ଗୀରରେ ପହଞ୍ଚିଛି। ଏହି ଟ୍ରେନ୍ରେ ଆସିଥିବା ପ୍ରବାସୀଙ୍କ ପଞ୍ଜୀକରଣ କରାଯାଉଛି। ଏହି ଟ୍ରେନ୍ରେ ମଧ୍ୟ ୩୦ ଜିଲ୍ଲାର ଶ୍ରମିକ ଆସିଥିବା କୁହାଯାଉଛି। ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।




















