ନୂଆଦିଲ୍ଲୀ,୧୨-୦୫(ଡ଼ି ଏଚ):କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଛୋଟରୁ ଛୋଟ ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାକୁ ସାର୍ଥକ କରି ରାଜସ୍ଥାନର ଏକ ଗାଁରେ ଥିବା ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) କୁମ୍ଭାରମାନେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସେମାନଙ୍କର ଅଭିନବ ପ୍ରୟାସ ଜରିଆରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ସେମାନେ ତିଆରି କରୁଥିବା ପ୍ରତ୍ୟେକ ମାଟି ପାତ୍ରରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସଚେତନତା ବାର୍ତ୍ତା ରହିଛି। ପାଣି ପିଇବା ସମୟରେ ପ୍ରତ୍ୟେକ ପରିବାର ଯେପରି ଏଥିରୁ ବାର୍ତ୍ତା ପାଇପାରିବେ ସେହି ଉଦ୍ଦେଶ୍ୟରେ ସେମାନେ ଏପରି ଏକ ପ୍ରୟାସ ଆରମ୍ଭ କରିଛନ୍ତି । ଖରାଦିନ ଆସିଲେ ମାଟି ପାତ୍ରର ଚାହିଦା ବୃଦ୍ଧି ପାଇଥାଏ। ଏହାକୁ ଦୃଷ୍ଟିରେ ରଖି କୁମ୍ଭାରମାନେ ସେମାନଙ୍କ ପାତ୍ର ଉପରେ ମାସ୍କ ପିନ୍ଧିବା, ଘରେ ସୁରକ୍ଷିତ ରହିବା, ସତର୍କତା ଅବଲମ୍ବନ କରିବା, କରୋନା ଠାରୁ ଦୂରରେ ରହିବା ଭଳି ବାର୍ତ୍ତା ଲେଖିଛନ୍ତି। ଏହାଫଳରେ ଦିନରେ ପ୍ରତ୍ୟେକ ପରିବାର ଅତିକର୍ମରେ ଚାରିରୁ ପାଞ୍ଚ ଥର ସେହି ବାର୍ତ୍ତାକୁ ପଢ଼ିପାରୁଛନ୍ତି । କେଭିଆଇସି ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ସାକ୍ସେନା କୁମ୍ଭାରମାନଙ୍କର ଏପରି ଅଭିନବ ସଚେତନତା ଅଭିଯାନକୁ ପ୍ରଶଂସା କରିଛନ୍ତି। ଏହା କରୋନା ମୁକାବିଲା କ୍ଷେତ୍ରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ବିଶେଷ ସହାୟକ ହୋଇପାରିବ। ଏଭଳି ଅଭିନବ ଅଭିଯାନ ଅନେକଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ସେ କହିଛନ୍ତି । ସାରା ଦେଶରେ କୁମ୍ଭାର ସମୁଦାୟଙ୍କ ସଶକ୍ତିକରଣ ଲାଗି କେଭିଆଇସି ପକ୍ଷରୁ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। କିଶନଗଞ୍ଜ ଗ୍ରାମର ଏହି କୁମ୍ଭାରମାନେ ଏହି ଯୋଜନାର ଅଂଶବିଶେଷ। ଏହି ଯୋଜନା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ଜମ୍ମୁ ଓ କଶ୍ମୀର, ହରିଆଣା, ରାଜସ୍ଥାନ, ପଶ୍ଚିମବଙ୍ଗ, ଆସାମ, ଗୁଜରାଟ, ତାମିଲନାଡ଼ୁ, ଓଡ଼ିଶା, ତେଲଙ୍ଗାନା ଓ ବିହାରରେ କାର୍ୟ୍ୟକାରୀ ହେଉଛି । କୁମ୍ଭାର ସଶକ୍ତିକରଣ କାର୍ୟ୍ୟକ୍ରମ ଅନ୍ତର୍ଗତ କେଭିଆଇସି ପକ୍ଷରୁ ବର୍ତ୍ତମାନସୁଦ୍ଧା ୧୪ ହଜାର ବିଦ୍ୟୁତ ଚାଳିତ ଚକ ପ୍ରଦାନ କରାଯାଇସାରିଛି, ଫଳରେ ପାଖାପାଖି ୬୦ ହଜାର ଲୋକ ଉପକୃତ ହୋଇଛନ୍ତି। କୁମ୍ଭାରମାନଙ୍କୁ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦିଆଯିବା ଫଳରେ ସେମାନଙ୍କର ଆୟ ପୂର୍ବାପେକ୍ଷା ୭ରୁ ୮ଗୁଣ ବୃଦ୍ଧି ପାଇଛି।



















