ନୂଆଦିଲ୍ଲୀ,୧୨-୦୫(ଡ଼ି ଏଚ):ଭାରତ ସରକାରଙ୍କ ଅନ୍ୟତମ ଫ୍ଲାଗସିପ୍ ସାମାଜିକ ନିରାପତ୍ତା କାର୍ୟ୍ୟକ୍ରମ “ଅଟଳ ପେନସନ୍ ଯୋଜନା” (ଏପିୱାଇ) ସଫଳ ଭାବେ ଦେଶରେ ପ୍ରବର୍ତ୍ତନ ହେବାର ପାଞ୍ଚବର୍ଷ ପୂରଣ ହୋଇଛି । ୨୦୧୫ ମସିହା ମେ ୦୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବୃଦ୍ଧାବସ୍ଥାରେ ଉପାର୍ଜନ ନିରାପତ୍ତା ପ୍ରଦାନ କରିବା, ବିଶେଷ କରି ଅସ୍ୱୀକୃତ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଏଭଳି ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏପିୱାଇ ପ୍ରବର୍ତ୍ତନ କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ ସରକାର ୬୦ ବର୍ଷ ଆୟୁ ପୂର୍ଣ୍ଣ କରିଥିବା ଶ୍ରମିକମମାନଙ୍କୁ ସର୍ବନିମ୍ନ ପେନସନ୍ ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଏହି ଯୋଜନା ଦେଶର ୨.୨୩ କୋଟି ଶ୍ରମିକଙ୍କୁ ପେନସନ୍ ପ୍ରଦାନର ବ୍ୟବସ୍ଥା କରିସାରିବା ପରେ ସୁଦ୍ଧା ଅପ୍ରତିଦ୍ୱନ୍ଦୀ ଭାବେ ଲୋକପ୍ରିୟ ରହିଆସିଛି । ଦେଶରେ ଦ୍ରୁତି ଗତିରେ ବୃଦ୍ଧି ପାଉଥିବା ବାର୍ଦ୍ଧକ୍ୟ ଲୋକସଂଖ୍ୟା ଭଳି ଚାଲେଞ୍ଜର ମୁକାବିଲା କରିବା ପାଇଁ ଏହା ଏକ ବିରାଟ ପଦକ୍ଷେପ । ଏହି ଯୋଜନାରେ ଏଭଳି ବିପୁଳ ପଞ୍ଜିକରଣ ସତ୍ତ୍ୱେ, ସାରା ଦେଶରେ ଏହି ଯୋଜନାକୁ ବ୍ୟାପକ ଭାବେ ପ୍ରବର୍ତ୍ତନ କରାଯାଇଛି ଏବଂ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ଏହାକୁ ଆପଣାଇଛନ୍ତି । ଏଥିରେ ପୁରୁଷ ଏବଂ ମହିଳା ପଞ୍ଜିକରଣ ଅନୁପାତ ୫୭:୪୩ ବୋଲି ଜଣାପଡ଼ିଛି ।ଅଟଳ ପେନସନ ଯୋଜନାର ବିଗତ ପାଞ୍ଚବର୍ଷର ସଫଳ ଯାତ୍ରା ଅତି ଉଲ୍ଲେଖନୀୟ ରହିଛି ଏବଂ ୯ ମେ, ୨୦୨୦ ସୁଦ୍ଧା ଏଥିରେ ମୋଟ ୨,୨୩,୫୪,୦୨୮ ଜଣ ବ୍ୟକ୍ତି ସାମିଲ ହୋଇଛନ୍ତି । ଏହି ଯୋଜନା ଶୁଭାରମ୍ଭ ହେବାର ପ୍ରଥମ ଦୁଇ ବର୍ଷରେ ଏଥିରେ ପ୍ରାୟ ୫୦ ଲକ୍ଷ ହିତାଧିକାରୀ ନାମ ପଞ୍ଜିକରଣ କରିଥିଲେ ଏବଂ ତୃତୀୟ ବର୍ଷ ଏହା ଦ୍ୱିଗୁଣିତ ହୋଇ ଏକ କୋଟି ଛୁଇଁଥିଲା । ଚତୁର୍ଥ ବର୍ଷ ଏହା ୧.୫୦ କୋଟି ହିତାଧିକାରୀ ସଂଗ୍ରହ ଲକ୍ଷ୍ୟ ହାସଲ କରିଥିଲା । ଗତ ଆର୍ଥିକ ବର୍ଷରେ ଏଥିରେ ମୋଟ ୭୦ ଲକ୍ଷ ନୂଆ ଉପଭୋକ୍ତା ସାମିଲ ହୋଇଛନ୍ତି ।ପେନସନ୍ ଫଣ୍ଡ୍ ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡ଼ିଏ) ର ଅଧ୍ୟକ୍ଷ ଶ୍ରୀ ସୁପ୍ରତିମ ବନ୍ଦୋପାଧ୍ୟାୟ ଯିଏକି ଅଟଳ ପେନସନ୍ ଯୋଜନା ପରିଚାଳନା ଦାୟିତ୍ୱରେ ଅଛନ୍ତି, ସେ ଏହି ଯୋଜନାର ଜୟଯାତ୍ରା ସଂପର୍କରେ ମତ ପୋଷଣ କରି କହିଛନ୍ତି, “ ସରକାରୀ ଓ ଘରୋଇ ବ୍ୟାଙ୍କ, କ୍ଷେତ୍ରୀୟ ଗ୍ରାମ୍ୟ ବ୍ୟାଙ୍କ, ପେମେଣ୍ଟ ବ୍ୟାଙ୍କ, ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍, ଡ଼ାକ ବିଭାଗ ଓ ରାଜ୍ୟ ସ୍ତରରେ ବ୍ୟାଙ୍କର୍ସ କମିଟିମାନେ ଯୋଗାଇ ଦେଇଥିବା ସହଯୋଗ ଫଳରେ ସମାଜର ସବୁଠାରୁ ଦୁର୍ବଳ ଏବଂ ଆପଦାଗ୍ରସ୍ତ ବର୍ଗଙ୍କୁ ଏହି ଯୋଜନାରେ ସାମିଲ କରିବା କାର୍ୟ୍ୟ ମୁଖ୍ୟତଃ ସମ୍ଭବପର ହୋଇପାରିଛି । ଅଟଳ ପେନସନ୍ ଯୋଜନା ଯେକୌଣସି ଭାରତୀୟ ନାଗରିକ ଯାହାଙ୍କର ଆୟୁସୀମା ୧୮ ଠାରୁ ୪୦ ବର୍ଷ ମଧ୍ୟରେ ହୋଇଥିବ ଏବଂ ତାଙ୍କର ଗୋଟିଏ ବ୍ୟାଙ୍କ୍ ଜମାଖାତା ଥିବ ସେ ଚାହିଁଲେ ଏଥିରେ ନିଜ ନାମ ସାମିଲ କରିପାରିବେ । ଏହା ବିଶେଷତ୍ୱ ହେଲା ଏଥିରୁ ମୁଖ୍ୟତଃ ତିନିପ୍ରକାର ସୁଫଳ ମିଳିପାରିବ । ପ୍ରଥମତଃ, ଏହା ସର୍ବନିମ୍ନ ଗ୍ୟାରେଣ୍ଟିଯୁକ୍ତ ପେନସନ୍ ୧୦୦୦ ଟଙ୍କା ଠାରୁ ୫୦୦୦ ଟଙ୍କା ପର୍ୟ୍ୟନ୍ତ ସୁନିଶ୍ଚିତ କରିବ ଯାହାକି ୬୦ ବର୍ଷ ପୂରଣ ହେବା ମାତ୍ରେ ହିତାଧିକାରୀ ପାଇପାରିବେ । ଦ୍ୱିତୀୟତଃ, ଏଭଳି ପେନସନ୍ ରାଶି ହିତାଧିକାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କର ପତ୍ନୀ ଜୀବନସାରା ପାଇପାରିବେ ଏବଂ ତୃତୀୟତଃ, ଉଭୟ ହିତାଧିକାରୀ ଓ ତାଙ୍କର ପତ୍ନୀଙ୍କର ଯଦି ମୃତ୍ୟୁ ହୁଏ,ତେବେ ପେନସନ୍ କର୍ପସର ସମସ୍ତ ଟଙ୍କା ତାଙ୍କର ନୋମିନିଙ୍କୁ ମିଳିବ । ପିଏଫଆରଡ଼ିଏ ଅଧ୍ୟକ୍ଷ (ଶ୍ରୀ ସୁପ୍ରତିମ ବନ୍ଦୋପାଧ୍ୟାୟ) କହିଛନ୍ତି ଯେ “ଆଗକୁ ଆଗେଇ ଆମ ସମ୍ମୁଖରେ ଆମେ ଗୋଟିଏ ମାନବୀୟ କାର୍ୟ୍ୟ ସଂପାଦନ କରିବୁ । ତାହା ହେଲା ଏହି ପେନସନ୍ କଭରେଜ ବୃଦ୍ଧି । କାରଣ ଏବେସୁଦ୍ଧା ଯୋଗ୍ୟ ନାଗରିକମାନଙ୍କ ମଧ୍ୟରୁ ମାତ୍ର ପାଞ୍ଚ ପ୍ରତିଶତ ଏପିୱାଇରେ ସାମିଲ ହୋଇଛନ୍ତି । ସେଥିପାଇଁ ଆମେ ନିରବଚ୍ଛିନ୍ନ ଭାବେ ସକାରାତ୍ମକ ପଦକ୍ଷେପ ଗ୍ରହଣ ପୂର୍ବକ ଏଥିରେ ବ୍ୟାପକ ବୃଦ୍ଧି ଘଟାଇବୁ ଯଦ୍ୱାରା ଯେକୌଣସି ଅପ୍ରତ୍ୟାଶିତ ପରିଦୃଶ୍ୟକୁ ସହଜରେ ହିତାଧିକାରୀମାନେ ସାମ୍ନା କରିପାରିବେ ।



















